ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୂଟନୀତି ସବୁବେଳେ ରାଷ୍ଟ୍ର ପ୍ରଥମ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛି। ଉଭୟ ଅନ୍ତର୍ଜାତୀୟ ମଞ୍ଚ ଏବଂ ଘରୋଇ କ୍ଷେତ୍ରରେ ଭାରତକୁ ଏହାର ସୁଫଳ ମିଳୁଛି। ନିକଟରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ଭାରତର ସମ୍ପର୍କକୁ ନେଇ ପରିବର୍ତ୍ତିତ ଘଟଣାକ୍ରମରେ ଏହାର ଲାଭ ଦେଖିବାକୁ ମିଳିଛି।
ଦୁଇ ବର୍ଷ ପୂର୍ବେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମୁକ୍ତ ଭାବେ ‘ଇଣ୍ଡିଆ ଆଉଟ୍’ (ଭାରତକୁ ବହିଷ୍କାର) ନୀତି ନେଇ ମାଳଦ୍ୱୀପରେ କ୍ଷମତାକୁ ଆସିଥିଲେ। ସେତେବେଳେ ଗଣମାଧ୍ୟମ ସମ୍ପାଦକୀୟଗୁଡ଼ିକ ଭାରତର ମାଳଦ୍ୱୀପ ନୀତିକୁ ନେଇ ପ୍ରଶ୍ନ ଉଠାଇବାର ସହ ଏହାର ପରିସମାପ୍ତି ହୋଇଛି ବୋଲି ଲେଖିଥିଲେ। ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ନୂଆଦିଲ୍ଲୀ ନିଜର ନିକଟତମ ସାମୁଦ୍ରିକ ସହଯୋଗୀ ସହ ରଖିଥିବା ସମ୍ପର୍କ ହରାଇବାକୁ ଯାଉଛି ବୋଲି ସେମାନେ ମତ ଦେଇଥିଲେ। କେତେକ ଅଗ୍ରଣୀ ଗଣମାଧ୍ୟମ ମତ ଦେଇଥିଲେ ଯେ ଭାରତ ନିଜର ବିଶ୍ୱସ୍ତ ସହଯୋଗୀକୁ ହରେଇବାକୁ ଯାଉଛି। ଏହା ଭାରତ ପାଇଁ ଧକ୍କା ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ସମ୍ପର୍କର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଭାରତ କୂଟନୀତିରେ ନିଜର ଦୃଷ୍ଟିକୋଣ ବଦଳାଇବା ଆବଶ୍ୟକ ବୋଲି ମଧ୍ୟ କୁହାଗଲା। ବିଦେଶୀ ଗଣମାଧ୍ୟମ ଭାରତର ରଣନୀତିକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଥିଲେ।
ଏଭଳି ପରିସ୍ଥିତିରେ ଭାରତ ସବୁଠୁ ଉପଯୁକ୍ତ ପଦକ୍ଷେପ ନେଇ ସଂଯମତା ଅବଲମ୍ବନ କରିଥିଲା। ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ନକରି ନିରବ ଏବଂ ସ୍ଥିର ରହିଥିଲା। ଭାରତ ଜବାବୀ ପଦକ୍ଷେପ ଗ୍ରହଣ କରିବ ବୋଲି ସମସ୍ତେ ଭାବୁଥିବା ସମୟରେ ଏହାର ବିପରୀତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବିଶ୍ୱନେତା ଭାବେ ରାଷ୍ଟ୍ରପତି ମୁଇଜୁଙ୍କୁ ନିର୍ବାଚନ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ। ସମୟକ୍ରମେ ଏହି ସମ୍ପର୍କ ଅଧିକ ସୁଦୃଢ଼ ହେଲା। ଚଳିତ ସପ୍ତାହରେ ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଗସ୍ତରେ ଯାଉଛନ୍ତି। ରାଷ୍ଟ୍ରପତି ମୁଇଜୁଙ୍କ ନିମନ୍ତ୍ରଣକ୍ରମେ ସେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିବେ। ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ୍ ଦିଆଯାଇଥିବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ପରିବର୍ତ୍ତିତ ସମ୍ପର୍କର ଏହା ଏକ ଉଦାହରଣ।
ରାଷ୍ଟ୍ରପତି ମୁଇଜୁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ନିଜକୁ ମାଳଦ୍ୱୀପ ପାଇଁ ବିପଦ ବେଳର ବନ୍ଧୁ ଭାବେ ପ୍ରମାଣିତ କରି ଆସିଛି। ୪୦୦ ନିୟୁତ ଡଲାରର ଆର୍ଥିକ ସହାୟତା ସହିତ ମୁଦ୍ରା ବିନିମୟ ଜରିଆରେ ୩ହଜାର କୋଟି ଟଙ୍କାର ସହଯୋଗ ଯୋଗାଇ ଦେଇଛି ଭାରତ। ମାଳଦ୍ୱୀପର ବିଭିନ୍ନ ଅଞ୍ଚଳକୁ ନୌକା ସେବା ପାଇଁ ୧୩ଟି ନୂଆ ବୁଝାମଣା ସ୍ୱାକ୍ଷର କରିଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ଏବଂ ଦକ୍ଷତା ବିକାଶ ସହଯୋଗ ଅତୁଳନୀୟ ଭାବେ ବୃଦ୍ଧି ପାଇଛି। ଭାରତୀୟ ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କ ଆଗମନ ସହ ମାଳଦ୍ୱୀପରେ ବାଣିଜ୍ୟ ଓ ନିବେଶ ପରିମାଣ ବଢ଼ିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୫୪୮ ନିୟୁତ ଡଲାରକୁ ବୃଦ୍ଧି ପାଇଛି। ମାଳଦ୍ୱୀପ ତଟରକ୍ଷୀ ବାହିନୀ ଏବଂ ପ୍ରତିରକ୍ଷା ବାହିନୀର ଅଧିକାରୀମାନଙ୍କୁ ଭାରତ ଦକ୍ଷତା ତାଲିମ ଦେଇଛି।
ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଳଦ୍ୱୀପ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ମୁଇଜୁ ଗତବର୍ଷ ଅକ୍ଟୋବରରେ ଭାରତ ଗସ୍ତରେ ଆସିଥିଲେ। ନଭେମ୍ବର ୨୦୨୩ରେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ଏହି ଗସ୍ତ କାଳରେ ସେ କହିଥିଲେ, ମାଳଦ୍ୱୀପର ସାମାଜିକ ଆର୍ଥିକ ଏବଂ ଭିତ୍ତିଭୂମି ବିକାଶରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଭାରତ ଦରକାର ବେଳେ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଛି।
ଭାରତର ନିରବ କୂଟନୀତିର କାହାଣୀ କେବଳ ମାଳଦ୍ୱୀପ ସହ ସମ୍ପର୍କରେ ସୀମିତ ହୋଇ ରହିନାହିଁ। ଶ୍ରୀଲଙ୍କାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆଦିଲ୍ଲୀ-କଲୋମ୍ବୋ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ସମାଲୋଚକ ପ୍ରଶ୍ନ ଉଠାଇଥିଲେ। ଶ୍ରୀଲଙ୍କାରେ ବାମପନ୍ଥୀ ସରକାର ଆସିବା ଭାରତ ପାଇଁ ଚିନ୍ତାର ବିଷୟ ବୋଲି ସେମାନେ କହିଥିଲେ। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଭାରତ ଠାରୁ ନିଜକୁ ଦୂରେଇ ରଖିବେ ବୋଲି ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ମାତ୍ର ଏହାର ବିପରୀତ ଭାରତ-ଶ୍ରୀଲଙ୍କା ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିଲା। ସମ୍ପର୍କକୁ ସମ୍ମାନ, ସମୟୋଚିତ ସହାୟତା ଏବଂ ରଣନୀତିକ ସଂଯମତା ପ୍ରଦର୍ଶନ କରି ଭାରତ ଏହି ସମ୍ପର୍କକୁ ବଜାୟ ରଖିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହା ଦୁଇ ଦେଶର ସମ୍ପର୍କରେ ଭରସାର ଭାବନାକୁ ସୁଦୃଢ଼ କରିଥିଲା। ରାଷ୍ଟ୍ରପତି ଦିସାନାୟକେ ଆନୁଷ୍ଠାନିକ ସ୍ୱାଗତ ଠାରୁ ଆରମ୍ଭ କରି ମିଳିତ ସାର୍ବଜନୀନ ସଭାରେ ଯୋଗଦେବା ଏବଂ ପ୍ରସିଦ୍ଧ ସାଂସ୍କୃତିକ ସ୍ଥଳ ପରିଦର୍ଶନ କରିବା ପର୍ଯ୍ୟନ୍ତ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖେ ପାଖେ ରହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କରାଯାଇଥିଲା। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦିସାନାୟକେ କହିଥିଲେ, ଭାରତ ‘‘ଶ୍ରୀଲଙ୍କା ପାଇଁ ପ୍ରଥମ ସହାୟତାକାରୀ ଦେଶ’’। ସେ ଦୁଇ ଦେଶ ମଧ୍ୟରେ ଦୃଢ଼ ଆପୋସ ଭରସାକୁ ବ୍ୟକ୍ତ କରିଥିଲେ। ସଙ୍କଟ ସମୟରେ ପ୍ରଥମେ ସହାୟତା ଯୋଗାଇ ଦେବା ହେଉ କିମ୍ବା ଅନ୍ୟମାନେ ପଛକୁ ହଟିଯିବା ସମୟରେ ନିର୍ଭରଯୋଗ୍ୟ ପଡ଼ୋଶୀ ଭାବରେ ଠିଆ ହେବା ହେଉ, ଭାରତ ମହାସାଗର କ୍ଷେତ୍ରରେ ଭାରତ ସବୁବେଳେ ସହଯୋଗୀ ବନ୍ଧୁ ଭାବେ ଛିଡ଼ା ହୋଇଛି। ପଡ଼ୋଶୀ ଦେଶରେ ରାଜନୈତିକ ପରିବର୍ତ୍ତନ ଆସିଲେ ଭାରତର ଆଚରଣ ହିଁ ଏହାର ସହଭାଗୀତାକୁ ସ୍ଥିର ରଖିଥାଏ।
ଏହା ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିର ଗତିଶୀଳ ଏବଂ ଅନୁକୂଳ ପ୍ରକୃତିକୁ ପ୍ରକାଶ କରେ, ଯାହାକି ବିଶ୍ୱ କୂଟନୀତିର ପରିବର୍ତ୍ତନଶୀଳ ଧାରା ସହିତ ସୂକ୍ଷ୍ମ ଭାବରେ ସମନ୍ୱିତ। ରଣନୀତି ଏବଂ ଉଦ୍ଦେଶ୍ୟର ଏକ ସ୍ପଷ୍ଟ ଭାବନା ସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରନ୍ତି। ଅନ୍ୟମାନେ ତାଙ୍କ ଆଭିମୁଖ୍ୟକୁ ବୁଝିପାରନ୍ତି ବୋଲି ଦାବି କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଶୈଳୀରେ ଗଭୀର, ଅଧିକ ସୂକ୍ଷ୍ମ ସ୍ତର ଅଛି ଯାହା ପ୍ରାୟତଃ ସାଧାରଣ ଦୃଷ୍ଟିକୋଣରୁ ବାହାରେ ରହିଥାଏ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ହେଉଛି ରଣନୀତିକ ସଂଯମତା। ସେ ମାପିଚୁପି ଏବଂ ଚିନ୍ତାଶୀଳ ଆଭିମୁଖ୍ୟ ଗ୍ରହଣ କରିଥା’ନ୍ତି ଯାହା ଦେଶକୁ ଲାଭ ପହଞ୍ଚାଇଥାଏ। ଯେତେବେଳେ ଅନ୍ୟମାନେ ବିଫଳ ହୁଅନ୍ତି କିମ୍ବା ପ୍ରତିକ୍ରିୟା ଦେବାକୁ ମନା କରନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରାୟତଃ ଯେକୌଣସି ଦେଶର ସପକ୍ଷରେ ଥାଆନ୍ତି। ମାନବୀୟ ସହାୟତା ପାଇଁ ଟିକା ଯୋଗାଣ ହେଉ, ଦକ୍ଷତା ବିକାଶ ହେଉ କିମ୍ବା ଆର୍ଥିକ ସହାୟତା ହେଉ, ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେହି ନେତା ଯିଏ ସବୁବେଳେ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସମର୍ଥନ କରନ୍ତି।
ଏହି ସ୍ଥିରତା କାରଣରୁ ରାଜନୈତିକ ନେତୃତ୍ୱ ପରିବର୍ତ୍ତନ ଘଟିଲେ ସୁଦ୍ଧା ଭାରତର ବୈଦେଶିକ ସମ୍ପର୍କ ସ୍ଥିର ଓ ଗଠନମୂଳକ ରହିଛି । ଏହାର ପରିଣାମସ୍ୱରୂପ ବିଶ୍ୱସ୍ତରରେ ଭାରତର ସ୍ଥିତି ସୁଦୃଢ଼ ହେଉଛି। ବ୍ୟବହାରିକତା ଏବଂ ସିଦ୍ଧାନ୍ତ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିବା ବିଦେଶ ନୀତି କାରଣରୁ ଭାରତକୁ ଏ କ୍ଷେତ୍ରରେ ସଫଳତା ମିଳିପାରିଛି।