ସମସ୍ତ ପୌରାଞ୍ଚଳରେ ହେବ ସ୍ମାର୍ଟ ପାର୍କ ସହିତ ଉନ୍ନତମାନର ଶ୍ମଶାନ, 370 କୋଟି ଟଙ୍କା ବ୍ୟୟ ବରାଦ

Published: Jul 27, 2019, 12:04 am IST
HUD department will make smart park in all urban area

ସମୀକ୍ଷା ବ୍ୟୁରୋ

ରାଜ୍ୟର ସମସ୍ତ 114 ଟି ପୌରାଞ୍ଚଳରେ ନିର୍ମାଣ ହେବ ସ୍ମାର୍ଟ ପାର୍କ। ଲୋକଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ସେଥିପାଇଁ ଚଳିତ ବଜେଟରେ ସରକାର ଅନୁଦାନର ବ୍ୟବସ୍ଥା କରିଛନ୍ତି। ସେହିପରି ଶବ ସତ୍କାର ପାଇଁ ମଧ୍ୟ ପ୍ରତି ପୌରାଞ୍ଚଳରେ ଉନ୍ନତମାନର ଶ୍ମଶାନ ନିର୍ମାଣ କରାଯିବ। ଏଥିପାଇଁ ବଜେଟରେ 370 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଭାଗର ଖର୍ଚ୍ଚ ଦାବୀ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏଥିରେ ପୌରାଞ୍ଚଳରେ ଥିବା 18 ଲକ୍ଷ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଯୋଜନା ବାବଦକୁ 100 କୋଟି ଟଙ୍କା ରଖାଯାଇଛି। ସେହିପରି ସଡକ ଆଲୋକୀକରଣ ପ୍ରକଳ୍ପ ପାଇଁ 786 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳର ପରିବେଶ ତଥା ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପୂର୍ବରୁ 18 ଟି ସହରରେ ଏହି ପ୍ରକଳ୍ପ କରାଯାଇଥିଲା। ହେଲେ ଚଳିତ ବଜେଟରେ ଆଉ 26ଟି ସହରରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ବ୍ୟୟ ବରାଦ କରାଯାଇଛି।ସେହିପରି ସ୍ମାଟ ସିଟି ଯୋଜନା ପାଇଁ ସରକାର 700 କୋଟି ଟଙ୍କା ଅନୁଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଗୃହକୁ ମନ୍ତ୍ରୀ ଅବଗତ କରାଇଥିଲେ।

 

Related posts