ରଣପୁର: ଭାରତ ସରକାରଙ୍କ ନିର୍ବାଚନ ଆୟୋଗ ପକ୍ଷରୁ ନୂଆଦିଲ୍ଲୀ ରେ ଥିବା ଭାରତ ଆନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଦୁଇ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ରାଜ୍ୟରୁ ବୁଥ୍ ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନେ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ। ଓଡ଼ିଶାରୁ ୪୭ଟି ବିଧାନସଭାରୁ ଜଣେ ଜଣେ ପ୍ରତିନିଧି ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ।
ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବୁଥ୍ ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ଆଚାର୍ଯ୍ୟ ଏହି ତାଲିମରେ ଯୋଗ ଦେଇ ସଫଳ ଭାବେ ତାଲିମ ଗ୍ରହଣ କରି ଫେରିଛନ୍ତି। ସେଠାରେ ହୋଇଥିବା ପରୀକ୍ଷାରେ ଶ୍ରୀ ଆଚାର୍ଯ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସାର୍ଟିଫିକେଟ ହାସଲ କରି ସଫଳତା ଲାଭ କରିଥିବା ଜଣାପଡିଛି। ସେହିପରି ନୟାଗଡ ଜିଲ୍ଲାରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ଅମିତ କୁମାର ବେହେରା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରିୟରଞ୍ଜନ ସାହୁ ଓ ନୟାଗଡ ନିର୍ବାଚନ ମଣ୍ଡଳୀରୁ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଏହି ତାଲିମରେ ଅଂଶ ଗ୍ରହଣ କରିଥିଲେ।