ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ତ୍ରୟୋଦଶ ପାଳି। ଭୁବନେଶ୍ବରଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀମଣ୍ଡଳର ୯ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସହାୟତାରେ ଅଭିଯୋଗ ଶୁଣାଣି ଓ ତାହାର ସମାଧାନ କରିଛନ୍ତି। ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଜରିଆରେ ଅସାଧ୍ୟ ଓ ଦୂରାରୋଗ ପୀଡିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି । ଚଳିତ ବର୍ଷ ଆରମ୍ଭରୁ ଆଜିସୁଦ୍ଧା ଏହି ବ୍ୟବସ୍ଥା ଜରିଆରେ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି।
ଅଭିଯୋଗ ଶୁଣାଣିର ଦ୍ବାଦଶ ପାଳି ସୁଦ୍ଧା ୯୧ ପ୍ରତିଶତ ସମସ୍ୟାର ସମାଧାନ ହୋଇପାରିଥିବା ବେଳେ ବକେୟା ଅଭିଯୋଗଗୁଡିକ ସମାଧାନ ପ୍ରକ୍ରିୟାରେ ରହିଛି ବୋଲି ଜଣାଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲୋକଙ୍କ ଅଭିଯୋଗର ଶୁଣାଣି କରିଥିଲେ।