ଭୁବନେଶ୍ଵର: ଗ୍ରାମୀଣ ଭାରତର ଉନ୍ନତି କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗ୍ରାମ ସ୍ବରାଜର ଲକ୍ଷ୍ୟ ଓ ସ୍ବାୟତ୍ତ ଶାସନ ବ୍ୟବସ୍ଥା ସକ୍ରିୟ କରି ଦାରିଦ୍ର୍ୟ ହ୍ରାସ, ସ୍ବାସ୍ଥ୍ୟ, ଶିକ୍ଷା, ସ୍ବଚ୍ଛତା, ସୁଶାସନ ଓ ଜନସେବା କ୍ଷେତ୍ରରେ ପଞ୍ଚାୟତିରାଜ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପଞ୍ଚାୟତିରାଜ ପୁରସ୍କାର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୯ଟି ଥିମ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଏହି ୯ଟି ଥିମ ମଧ୍ୟରେ ମନରେଗା, ସ୍ବଚ୍ଛତା-ବାହ୍ୟ ମଳମୁକ୍ତ, ଜଳଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି ଇତ୍ୟାଦି ରହିଛି। ଗ୍ରାମ ପଞ୍ଚାୟତଗୁଡିକୁ ପ୍ରଥମ ସ୍ଥାନ ପାଇଁ ୧୫ ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା ଥିବାବେଳେ ଦ୍ବିତୀୟ ସ୍ଥାନ ପାଇଁ ୧୦ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପରିଷଦଗୁଡିକୁ ୨୫ ଲକ୍ଷ, ଦ୍ବିତୀୟ ସ୍ଥାନ ପାଇଁ ୨୦ ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।