ଜୁଲାଇ 31 ରୁ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ବେଶୀ ବର୍ଷା ହୋଇଛି । ଗତ 24 ଘଂଟାରେ କେନ୍ଦୁଝରେ ସର୍ବାଧିକ 66.5 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କୋରାପୁଟ ସମେତ ମାଲକାନଗିରି, ନୂଆପଡା, ବରଗଡରେ ପ୍ରବଳ ବର୍ଷା ହେବ । ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ବୌଦ୍ଧରେ ମଧ୍ୟ ବର୍ଷାର ପ୍ରଭାବ ରହିବ । ଏତତ୍ ବ୍ୟତୀତ ଆସନ୍ତା 31 ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଗଷ୍ଟ ପହିଲାରୁ ବର୍ଷାର ପରିମାଣ ବଢିବ । ଏବେ ସୁଧା ଆକଳନ ମୁତାବକ 26 ପ୍ରତିଶତ କମ ବର୍ଷା ହୋଇଛି କିନ୍ତୁ ଆଗକୁ ଏହା ବଢିବ ବୋଲି ପାଣିପାଗ ବିଭାଗ କହିଛି ।