ନୂଆଦିଲ୍ଲୀ: ଆଜି ଓଭାଲ ଟେଷ୍ଟର ଶେଷ ଦିନରେ ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରି ସିରିଜକୁ ୨-୨ ସମାନ କରିଛି। କଂଗ୍ରେସ ସାଂସଦ ଶଶି ଥରୁର ଏହି ବିଜୟକୁ ‘ଅବିଶ୍ୱସନୀୟ’ ବୋଲି କହିଛନ୍ତି ଏବଂ ଟିମ୍ ଇଣ୍ଡିଆର ଦୃଢ଼ ନିଷ୍ପତ୍ତି, ଆତ୍ମବିଶ୍ୱାସ ଏବଂ ଉତ୍ସାହକୁ ପ୍ରଶଂସା କରିଛନ୍ତି। ତଥାପି ଥରୁର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଗୋଟିଏ ଦିନ ପୂର୍ବରୁ ଭାରତର ବିଜୟ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ସେ ଲେଖିଛନ୍ତି ଯେ, ‘ଗତକାଲି ଦଳର ବିଜୟ ଉପରେ ଟିକିଏ ସନ୍ଦେହ ପ୍ରକାଶ କରିଥିବାରୁ ମୋତେ କ୍ଷମା କରନ୍ତୁ। ସିରାଜ କେବେ ବିଶ୍ୱାସ ହରାଇ ନଥିଲେ!’
ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ‘ଶବ୍ଦ କମ୍ ପଡ଼ିଗଲା… କି ବିଜୟ! ଟିମ୍ ଇଣ୍ଡିଆ ଦେଖାଇଥିବା ସାହସ ଆଶ୍ଚର୍ଯ୍ୟଜନକ ଥିଲା। ଏହି ଦଳ ପ୍ରକୃତରେ ସ୍ୱତନ୍ତ୍ର।’ ଥରୁର ବିଶେଷ ଭାବରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ରଶଂସା କରିଥିଲେ, ଯିଏ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ସେ ସିରାଜଙ୍କ ମାନସିକ ଶକ୍ତିକୁ ପ୍ରଶଂସା କରି ଲେଖିଛନ୍ତି ଯେ, ‘ସିରାଜ କେବେ ବିଶ୍ୱାସ ହରାଇ ନଥିଲେ! ଆମର ହିରୋମାନଙ୍କୁ ସାବାସ!’