ଭୁବନେଶ୍ବର: ଆଜି ସ୍ବାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ , ଆମ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରନ୍ତି । ରାଜ୍ୟର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୧୩୫କୁ ବୃଦ୍ଧି ପାଇବ।
ସେହିପରି ସେ କହିଛନ୍ତି ଯେ, ଆମ ବିକାଶ ମଡେଲର ତୃତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ବିନା ଭିତ୍ତିଭୂମିରେ କୌଣସି ସମାଜର ବିକାଶ ସମ୍ଭବ ନୁହେଁ। ତେଣୁ ସରକାର ଚଳିତ ବଜେଟରେ ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ସାରା ଦେଶରେ, ରାଜ୍ୟ GDPର ପ୍ରତିଶତ ମାପଦଣ୍ଡରେ, ସର୍ବାଧିକ। ଏହାଦ୍ଵାରା ରାଜ୍ୟରେ ସଡକଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବନ୍ଦର ଇତ୍ୟାଦି କ୍ଷେତ୍ରରେ ବିକାଶ ବହୁତ ଶୀଘ୍ର ହୋଇପାରିବ। ଓଡିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଡବଲ ଗତିରେ କାମ କରୁଛି।