ଭୁବନେଶ୍ଵର: ବୌଦ୍ଧ ଜିଲ୍ଲା ଟାଉନହଲ୍ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ବାଜପେୟୀଙ୍କ ସପ୍ତମ ପୁଣ୍ୟତିଥିରେ ବକ୍ତାମାନେ ଏହି ମହାନ ବ୍ୟକ୍ତିତ୍ବଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।
ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବାଜପେୟୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତିତ୍ବ ଭାବେ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।