ନୂଆଦିଲ୍ଲୀ: ଅଜିତ ଅଗରକରଙ୍କ ନେତୃତ୍ୱରେ ପୁରୁଷ ଜାତୀୟ ଚୟନ କମିଟି ଅଗଷ୍ଟ ୧୯ ତାରିଖ ମଙ୍ଗଳବାରରେ ଏସିଆ କପ୍ ଦଳ ଚୟନ କରିବାକୁ ବୈଠକ କରିବ। ଭଲ କଥା ହେଉଛି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ସୂର୍ଯ୍ୟଙ୍କର କିଛି ସମୟ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିଲା, ଯାହା ପରେ ସେ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି। ଚୟନକର୍ତ୍ତାଙ୍କ ସମ୍ମୁଖରେ ଅନେକ ସମସ୍ୟା ରହିଛି, ସେମାନଙ୍କୁ ମଙ୍ଗଳବାର ଦିନ ସାହସିକ ନିଷ୍ପତ୍ତି ନେବାକୁ ପଡିବ। ଏହି କ୍ରମରେ ଏକ ବଡ଼ ପ୍ରଶ୍ନ ହେଉଛି ଶୁଭମନ ଗିଲ ଏବଂ ଯଶସ୍ୱୀ ଜୟସ୍ଵାଲଙ୍କ ପାଇଁ ଦଳରେ ସ୍ଥାନ ମିଳିବ କି ନାହିଁ। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇପାରେ।
ଶୁଭମନ ଗିଲଙ୍କ ଅନୁପସ୍ଥିତି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ଟି-୨୦ରେ ଓପନିଂ କରିବାର ସୁଯୋଗ ମିଳିଥିଲା, ଯାହା ସେମାନେ ପୂର୍ଣ୍ଣ ଉପଯୋଗ କରିଛନ୍ତି। ତେଣୁ ଯେତେବେଳେ ସେମାନେ ଫିଟ୍ ଅଛନ୍ତି ସେମାନଙ୍କୁ ବାଦ୍ ଦେବାର କୌଣସି ଅର୍ଥ ନାହିଁ। ଶୁଭମନ ଗିଲ ଏବଂ ଯଶସ୍ୱୀ ଜୟସ୍ୱାଲ ଭାରତୀୟ ଦଳର ବଡ଼ ନାମ, ତେଣୁ ଚୟନକର୍ତ୍ତାମାନେ ଉଭୟଙ୍କୁ ବାଦ ଦେବା ପାଇଁ ଏକ ସାହସିକ ନିଷ୍ପତ୍ତି ନେଇପାରିବେ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।
ସ୍ପୋର୍ଟଷ୍ଟାରର ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଏକ ବଡ଼ ନିଷ୍ପତ୍ତି ନେଇ ଶୁଭମନ ଗିଲ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କୁ ଏସିଆ କପ୍ ଦଳରୁ ବାହାରେ ରଖିବାକୁ ପ୍ରସ୍ତୁତ। ଅଜିତ ଅଗରକର ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ସମ୍ପ୍ରତି ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଦଳକୁ ବଜାୟ ରଖିବାକୁ ପ୍ରସ୍ତୁତି କରୁଛନ୍ତି।
ଏସିଆ କପ୍ ୨୦୨୫ ର ଶେଷ ମ୍ୟାଚ୍ ସେପ୍ଟେମ୍ବର ୨୮ ତାରିଖରେ ଖେଳାଯିବ, ଯାହା ପରେ ଭାରତ ଅକ୍ଟୋବର ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳିବ। ତେଣୁ, ଅଧିନାୟକ ଗିଲ ଏବଂ ଜୟସ୍ୱାଲଙ୍କୁ ସେହି ସିରିଜ୍ ପାଇଁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଏହା କରାଯାଇପାରେ।
ଶ୍ରେୟସ ଆୟର କ’ଣ ୨୦୨୫ ଏସିଆ କପ୍ ଖେଳିବେ?
ସେହି ରିପୋର୍ଟରେ କୁହାଯାଇଛି ଯେ, ଚୟନକର୍ତ୍ତାମାନେ ଶ୍ରେୟସ ଆୟରଙ୍କୁ ଦଳରେ ଏବଂ ଜିତେଶ ଶର୍ମାଙ୍କୁ ଦ୍ୱିତୀୟ ୱିକେଟକିପର ଭାବରେ ସାମିଲ କରିପାରନ୍ତି। ଜିତେଶ IPLରେ RCB ପାଇଁ ଖେଳୁଥିବା ସମୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ RCBକୁ ପ୍ରଥମ ଟାଇଟଲ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେହି ସମୟରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା।
ଶ୍ରେୟସ ଆୟର IPL-୨୦୨୫ ରେ ଖେଳାଯାଇଥିବା ୧୭ ମ୍ୟାଚ୍ ରେ ୧୭୫.୦୭ ଷ୍ଟ୍ରାଇକ୍ ରେଟ୍ ରେ ୬୦୪ ରନ୍ କରିଥିଲେ, ଯେଉଁଥିରେ ୬ ଟି ଅର୍ଦ୍ଧଶତକ ଥିଲା। ତାଙ୍କ ଅଧିନାୟକତ୍ୱରେ ପଞ୍ଜାବ ଫାଇନାଲରେ ପହଞ୍ଚିଥିଲା।
ଶ୍ରେୟସ ଆୟରଙ୍କୁ କାହିଁକି ଚୟନ କରାଯିବ?
ରିପୋର୍ଟ ଅନୁଯାୟୀ, UAE ର ପରିସ୍ଥିତିକୁ ବିଚାର କରି ଚୟନକର୍ତ୍ତାମାନେ ଦଳରେ ଜଣେ ଅଭିଜ୍ଞ ମଧ୍ୟମ କ୍ରମ ବ୍ୟାଟସମ୍ୟାନଙ୍କୁ ଚାହାଁନ୍ତି। ଏହି କାରଣରୁ ଦଳରେ ଶ୍ରେୟସ ଆୟରଙ୍କ ଚୟନ ନିଶ୍ଚିତ ବୋଲି ବିବେଚନା କରାଯାଉଛି। UAE ରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ ରେ ଭାରତର ବିଜୟରେ ଆୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଫାଇନାଲରେ ଆୟର ୪୮ ରନ କରିଥିଲେ।
ଯଦି ଶ୍ରେୟସ ଆୟରଙ୍କୁ ଏସିଆ କପ୍ ଦଳରେ ସାମିଲ କରାଯାଏ, ତେବେ ରିଙ୍କୁ ସିଂହ ଏବଂ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦେବାକୁ ପଡ଼ିପାରେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ଚୟନ ପାଇଁ ବୈଠକରେ ଯୋଗଦେବେ।