ଭୁବନେଶ୍ଵର: ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା ରହିଛି। ଶ୍ରୀଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆ ଉନ୍ନତ ମାନର ହୋଇଥିବାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ -ଏଫସିଆଇ ରାଜ୍ୟରୁ ମାଣ୍ଡିଆ ସଂଗ୍ରହ କରୁଛି।
ଏଫସିଆଇ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ସଂଗ୍ରହର ଲକ୍ଷ୍ୟ ରଖିଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ୬୪୨ ମେଟ୍ରିକ ଟନ୍ ମାଣ୍ଡିଆ ସଂଗ୍ରହ କରିଛି। ରାୟଗଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ଲାଗି ଏଫସିଆଇ ଇଚ୍ଛାବ୍ୟକ୍ତ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଏଫସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି। ୨୦୨୪-୨୫ ଖରିଫ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଅଧିକ ଚାଷୀଙ୍କ ଠାରୁ ୭୫ ହଜାର ମେଟ୍ରିକ ଟନ ମାଣ୍ଡିଆ ସଂଗ୍ରହ କରାଯାଇଥିଲା। ଏହି ସଂଗୃହୀତ ମାଣ୍ଡିଆ ମଧ୍ୟରୁ ୪୦ ହଜାର ମେଟ୍ରିକ ଟନ ଉଠାଇବା ଲାଗି ଏଫସିଆଇ ରାଜି ହୋଇଛି।