ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ ପାଇଲଟ୍ ହଠାତ୍ ଅଟକାଇ ଦେଇଛନ୍ତି। ବିମାନଟି ଦିଲ୍ଲୀରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରୀପୂର୍ଣ୍ଣ ଏୟାର ଇଣ୍ଡିଆ ବୋଇଂ ୭୮୭ ବିମାନକୁ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ କାହିଁକି ଅଟକାଇବାକୁ ପଡିଲା ତାହା ଏପର୍ଯ୍ୟନ୍ତ ଏୟାରଲାଇନ୍ସ ନିଶ୍ଚିତ କରିନାହିଁ।
ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି
ଏହି ଏୟାର ଇଣ୍ଡିଆ ବିମାନ ରନୱେରେ ଉଡ଼ାଣ କରିବାକୁ ଯାଉଥିଲା ଏବଂ ହଠାତ୍ ପାଇଲଟ୍ ଫେରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ କହିଥିଲେ ଯେ, “ଆଜି ଆମର ଜୀବନ ରକ୍ଷା ହୋଇଯାଇଛି।”
ଗତ କିଛି ଦିନ ଧରି ଏୟାର ଇଣ୍ଡିଆ ବିମାନରେ ସମସ୍ୟା ଦେଖାଯାଉଛି। ଶୁକ୍ରବାର ଦିନ ମୁମ୍ବାଇରୁ ଯୋଧପୁର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୬୪୫ କୁ ଉଡ଼ାଣ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା।
ଅଗଷ୍ଟ ୧୭ ତାରିଖରେ କୋଚିରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୫୦୪ ରେ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ପରେ ଉଡ଼ାଣ ବିଳମ୍ବ ହୋଇଥିଲା।