ଆଜି ଗୁଗୁଲ୍ର ସ୍ପେଶାଲ୍ ଡୁଡୁଲ୍ରେ ଭାରତର ପ୍ରଥମ ମହିଳା ବିଧାୟିକ ତଥା ଶଲ୍ୟ ଚିକିତ୍ସକ ମୁଥୁଲକ୍ଷ୍ମୀ ରହିଛନ୍ତି । ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ମନେପକାଇଛି। ଡା.ମୁଥୁଲକ୍ଷ୍ମୀ କେବଳ ଜଣେ ବିଧାୟକ ନ ଥିଲେ ସେ ଜଣେ ଶିକ୍ଷାବିତ୍, ସମାଜ ସୁଧାରକ, ଶଲ୍ୟ ଚିକିତ୍ସକ ଭାବେ ମଧ୍ୟ ଜଣାଶୁଣା ଥିଲେ। ଦେଶର ପ୍ରଥମ ଝିଅ ଥିଲେ, ଯିଏ, ବୟଜ୍ ସ୍କୁଲରେ ଆଡମିଶନ୍ ନେଇଥିଲେ । ଆଜୀବନ ମହିଳାଙ୍କ ଅଧିକାର ତଥା ସ୍ବତନ୍ତ୍ରତା ପାଇଁ ଆନ୍ଦୋଳନ କରିଥିଲେ । ସମାଜରୁ ଲିଙ୍ଗଭେଦ ହଟାଇବା ଏବଂ ମହିଳାଙ୍କୁ ଶିକ୍ଷା ଦେବା ପାଇଁ ସେ ସବୁବେଳେ ଲଢେଇ କରୁଥିଲେ। ଜୁଲାଇ ୩୦ ତାମିଲନାଡୁର ପୁଡୁକୋଟଇରେ ଜନ୍ମଗ୍ରହଣ କରିଥିବା ମୁଥୁଲକ୍ଷ୍ମୀ ବହୁ ବାଧାବିଘ୍ନ ଦେଇ ନିଜର ପାଠ ଶେଷ କରିବା ସହ ନିଜର ଏକ ଅନନ୍ୟ ପରିଚୟ ତିଆରି କରିପାରିଥିଲେ । ‘ମାଇ ଏକ୍ସିପିରିୟନ୍ସ ଆଜ୍ ଏ ଲେଜିସ୍ଲେଟର’ ପୁସ୍ତକରେ ନିଜର ବିଧାୟିକା ଜୀବନର ଅନୁଭବକୁ ଆଲୋକପାତ କରିଛନ୍ତି । ୧୯୫୬ ମସିହାରେ ନିଜର ଅନନ୍ୟ ଅବଦାନ ପାଇଁ ଭାରତ ସରକାର ତରଫରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୁଥୁଲକ୍ଷ୍ମୀ ରେଡ୍ଡୀ ।