ପୁରୀ: ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ ହୋଇଛି। ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୋଇଛି। ମା’ ଦକ୍ଷିଣକାଳୀ ଏହି ଭୋଗ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ବାସ କରାଯାଏ।
ଶୁକ୍ରବାର ସକାଳେ ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇ ଗମ୍ଭିରାରେ ପାଣିପଡ଼ି ଟେରା ବନ୍ଧା ଯାଇଥିଲା। ସକାଳ ଧୂପରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସାତପୁରୀ ଭୋଗକୁ ରୋଷଘରୁ ଆଣି ପୂଜାପଣ୍ଡା ସେବକ ମହାପ୍ରଭୁଙ୍କଠାରେ ଲାଗି କରିଥିଲେ। ଷୋଡ଼ଶ ଉପଚାର ପୂଜା କରାଯାଇ ଭୋଗ ଲାଗି ହୋଇଛି।
ସନ୍ଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତୀମା ଶ୍ରୀନାରାୟଣ ସାଗର ବିଜେ କରିଛନ୍ତି। ଏଥିପୂର୍ବରୁ ଗତକାଲି କୁମ୍ଭାରପଡ଼ାସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ଚାରୋଟି ମାଟିତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଥିଲା। ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରିବା ପରେ ତାଡ଼ଗୁଡ଼ିକୁ ରୋଷ ବେହେରଣଠାରେ ରଖାଯାଇଥିଲା।