ଭୁବନେଶ୍ୱର: ଉତ୍ସର୍ଗୀକୃତ ସେବା ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଛଅ ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି।
ବିଷମକଟକରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଜନ୍ ଏଡୱାର୍ଡ ତିର୍କୀ, ମୁନିଗୁଡ଼ା ଠାରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଅମରଜିତ କୁମାର ସିଂହ, ଲୋଇସିଂହା ଠାରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ଲକ୍ଷ୍ମଣ କୁମାର ପାତ୍ର ଏବଂ ମନୋଜ ସିକା, ଜୋରନ୍ଦା ରୋଡରେ କାର୍ଯ୍ୟରତ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ ବିଜୟ କୁମାର ବେହେରା ଏବଂ ହୁମ୍ମା ଠାରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସେମାନଙ୍କର ନିୟମିତ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ପ୍ରଦର୍ଶନ କରିଛନ୍ତି ଏବଂ ଉପସ୍ଥିତି ବୁଦ୍ଧି ପ୍ରଦର୍ଶନ କରି ଦ୍ରୁତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଯାହା ଟ୍ରେନଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରିବାରେ ସହାୟକ ହେଇଛି।
ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ। ବିଶେଷକରି ରେଳ କର୍ମଚାରୀମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ କାମ କରନ୍ତି। ରେଳ ସେବାର ନିରାପତ୍ତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍, ସିଗନାଲ ଏବଂ OHE ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ଅପରେଟର ମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପୂର୍ବତଟ ରେଳପଥ ସୁରକ୍ଷା ଏବଂ କାର୍ଯ୍ୟ ଦକ୍ଷତାର ଉତ୍କର୍ଷତା ଓ ଜନସାଧାରଣଙ୍କ ସେବାରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।