ଭୁବନେଶ୍ଵର: ଉଚ୍ଚଶିକ୍ଷା ଏବଂ ଜନଜାତି ଗବେଷଣାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗତକାଲି ୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧନ ଓ ସମାବେଶୀ ତଥା ବହୁ ବିଷୟ ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗତକାଲି ହାଇଦ୍ରବାଦର ଇଂଲିସ ଆଣ୍ଡ ଫରେନ ଲାଙ୍ଗୁଏଜେସ୍ ୟୁନିର୍ଭସିଟି- EFLU, ବିଜୟନଗରମର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ- CTUAP, ଅମରକଣ୍ଟକର ଇନ୍ଦିରା ଗାନ୍ଧୀ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟ- IGNTU ଏବଂ ତେଲଙ୍ଗାନାର ସମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ- SSCTU ସହ ଏହି ବୁଝାମଣା ସ୍ୱାକ୍ଷର କରିଛି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, EFLUର କୁଳପତି ପ୍ରଫେସର ଏନ୍ ନାଗରାଜୁ, SSCTU ର କୁଳପତି ପ୍ରଫେସର ୟୁ.ଏଲ୍ ଶ୍ରୀନିବାସ, CTUAPର ଭାରପ୍ରାପ୍ତ କୁଳପତି ପ୍ରଫେସର ଟି. ଶ୍ରୀନିବାସନ ଏବଂ IGNTU ର ପ୍ରଫେସର ସୌଭାଗ୍ୟ ରଞ୍ଜନ ପାଢ଼ି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।