ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ସମ୍ପ୍ରତି, ଅନଲାଇନ୍ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ୍ ଦଳ ଏହାର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ନୂତନ ଜର୍ସି ସେୟାର କରିଛି। ପ୍ରକାଶ ଯେ, ଟିମ୍ ଇଣ୍ଡିଆ ସେପ୍ଟେମ୍ବର ୧୦ ତାରିଖରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ଏସିଆ କପ୍ ରେ ପ୍ରଥମ ମ୍ୟାଚ୍ ଖେଳିବ।
ପୂର୍ବରୁ ଅଲରାଉଣ୍ଡର ଶିବମ୍ ଦୁବେ ଇନଷ୍ଟାଗ୍ରାମରେ ନୂତନ ଜର୍ସି ପିନ୍ଧିଥିବା ଫଟୋ ସେୟାର କରିଥିଲେ, ଏବେ ଟିମ୍ ଇଣ୍ଡିଆ ମଧ୍ୟ ଏକ ଭିଡିଓ କ୍ଲିପ୍ ମାଧ୍ୟମରେ ନୂତନ ଜର୍ସି ଲଞ୍ଚ କରିଛି। ଏହି ନୂତନ ଜର୍ସିରେ କେବଳ ଟୁର୍ଣ୍ଣାମେଣ୍ଟର ନାମ, ବିସିସିଆଇ ଲୋଗୋ ଏବଂ ‘ଇଣ୍ଡିଆ’ ବଡ଼ ଅକ୍ଷରରେ ଲେଖାଯାଇଛି। ପ୍ରାୟୋଜକ ଥିବା ସ୍ଥାନକୁ ଖାଲି ରଖାଯାଇଛି।
ଏହି ସପ୍ତାହରେ ଭାରତୀୟ କ୍ରିକେଟ୍ ବୋର୍ଡ ନୂତନ ପ୍ରାୟୋଜକଙ୍କ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। ଆବେଦନର ଶେଷ ତାରିଖ ୧୨ ସେପ୍ଟେମ୍ବର ଏବଂ ବିଡିଂ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର। ଏଥର ବିସିସିଆଇ ସତର୍କତାର ସହ ନିଷ୍ପତ୍ତି ନେବାକୁ ଚାହୁଁଛି ଯାହା ଦ୍ୱାରା ‘ଡ୍ରିମ୧୧’ ଭଳି ପରିସ୍ଥିତି ପୁଣି ସୃଷ୍ଟି ନହୁଏ। ନୂତନ ଅନଲାଇନ୍ ଗେମିଂ ବିଲ୍ ପ୍ରଚଳନ ସହିତ, ଭାରତ ସରକାର ଡ୍ରିମ୧୧ ଏବଂ ଅନ୍ୟାନ୍ୟ ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ନିଷିଦ୍ଧ କରିଛନ୍ତି।
ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ସଞ୍ଜୁ ସାମସନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ନୂତନ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା।