ଭୁବନେଶ୍ବର: ଓଡିଶା ରାଜନୀତିରେ ବଡ ଦୁଃଖଦ ଖବର। କାରଣ ନିର୍ବାଚନ ହୋଇଥିବାର ମାତ୍ର ଦେଢ ବର୍ଷ ମଧ୍ୟରେ ଜଣେ ବିଧାୟକ ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ। ହେଲେ ସେ ଆଜି ପରଲୋକ ଗମନ କରିଛନ୍ତି।
ଢୋଲକିଆ ୨୦୦୪, ୨୦୦୯, ୨୦୧୯, ୨୦୨୪ ରେ ସେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଗତଥର ବିଜେପି ଚାରିଆଡେ ପଦ୍ମ ଫୁଟାଇଥିବା ବେଳେ ନୂଆପଡାରେ କିନ୍ତୁ ଜିତିପାରି ନ ଥିଲା। ସେଠାରୁ ବହୁବାର ଜିତି ଆସୁଥିବା ଢୋଲକିଆଙ୍କୁ ନୂଆପଡା ବାସୀ ପୁଣି ନିର୍ବାଚିତ କରିଥିଲେ।
ଢୋଲକିଆ ପ୍ରଥମେ ୨୦୦୪ ରେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ବିଜେଡି ଟିକେଟରୁ ୨୦୦୯ ରେ ଜିତିଥିଲେ। ହେଲେ ସେ ୨୦୧୪ ରେ ବିଜେପିର ବସନ୍ତ ପଣ୍ଡାଙ୍କଠାରୁ ହାରିଯାଇଥିଲେ। ଏହାପରେ ପୁଣି ବିଜେଡି ଟିକେଟରେ ୨୦୧୯ ନିର୍ବାଚନ ଜିତିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।