ରଣପୁର: ବାଙ୍ଗାଲୋର ସ୍ଥିତ ଅଜିମ୍ ପ୍ରେମଜି ୟୁନିଭର୍ସିଟି ଠାରେ ପାଞ୍ଚ ଦିନ ବ୍ୟାପି ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ ସର୍ବ ଭାରତୀୟ ପ୍ରଧାନଶିକ୍ଷକ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାରୁ ପାଞ୍ଚ ଜଣ ପ୍ରଧାନଶିକ୍ଷକ ଯୋଗଦେଇ ଗତକାଲି ଓଡ଼ିଶା ପ୍ରତ୍ୟାଗମନ କରିଛନ୍ତି। ସୂଚନା ଅନୁଯାୟୀ ରଣପୁର ବ୍ଲକ୍ ମହତପଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ନୂଆଗାଁ ବ୍ଳକ୍ ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଡ.ବାସନ୍ତୀ ବେହେରା, ଓଡ଼ଗାଁ ବ୍ଳକର ଦୁଇ ବିଦ୍ୟାଳୟ ଯଥା ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ଗମ୍ଭାରିଡିହି ସ୍ଥିତ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ରଞ୍ଜନ ମିଶ୍ର ଏବଂ ନୟାଗଡ଼ ବ୍ଳକର ଲେଙ୍କୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଛନ୍ତି।
ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଏହି ୫ଜଣ ପ୍ରଧାନଶିକ୍ଷକ ପ୍ରତିନିଧିତ୍ୱ କରି ପବିତ୍ର ଗୁରୁଦିବସରେ ୟୁନିଭର୍ସିଟିର ଡାଇରେକ୍ଟର ଜୁଲଫିକର୍ ହାଇଦରଙ୍କ ଠାରୁ ସାଧନକର୍ମୀ ବିକାଶ ଓ ଅହନାଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ମୋଟ ୭ ଗୋଟି ଜିଲ୍ଲାରୁ ୫୦ ଜଣ ପ୍ରଧାନ ଶିକ୍ଷକ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦାନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।