ମୋଟର ଯାନ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରାଯାଇଛି । କେନ୍ଦ୍ର ପରିବହନ ଓ ସଡକ ମନ୍ତ୍ରୀ ନିତୀନ୍ ଗଡକରୀ ଏହି ବିଲ୍କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଦେଶରେ ପ୍ରତି ବର୍ଷ ପାଖାପାଖି ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଟ୍ରାଫିକ୍ ନିୟମ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଠିକ୍ ରୂପେ ପାଳନ କରୁନାହାନ୍ତି । ଯାହାର ଫଳସ୍ବରୂପ ମୃତ୍ୟୁ ତଥା ଶାରିରୀକ ବିକଳାଙ୍ଗର ଶିକାର ହେଉଛନ୍ତି । ଟ୍ରାଫିକ୍ ନିୟମ ପାଳନକୁ ସଶକ୍ତ କରିବା ପାଇଁ ମୋଟର ଯାନ ଆକ୍ଟ ୧୯୮୮ରେ ଏବେ ପରିବର୍ତ୍ତନ କରାଯାଇ ମୋଟର ଯାନ (ସଂଶୋଧନ) ବିଲ୍ ୨୦୧୯ ଆଗତ କରାଯାଇଛି । ଏହି ବିଲ୍ ଲୋକସଭାରେ ପାରିତ କରାଯିବା ପରେ ଏବେ ରାଜ୍ୟସଭାରେ ଆଗତ କରାଯାଇଛି । ଗଡ୍କରୀ କହିଛନ୍ତି ଯେ, ଯାନବାହନ ଜନିତ ଦୁର୍ଘଟଣାର ଯାଞ୍ଚ ପାଇଁ ଏହି ବିଲ୍ରେ ଶକ୍ତ ପ୍ରାବଧାନ ରହିଛି । ଦେଶର ପାଖାପାଖି ୪୦ ପ୍ରତିଶତ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ରହିଛନ୍ତି । ଭାରତରେ ଡ୍ରାଇଭିଂ ଲାଇସେନ୍ସ ନେବା ବହୁତ ସହଜ । ତେବେ ଏହି ସଂଶୋଧନ ବିଲ୍ରେ ବିପଦପୂର୍ଣ୍ଣ ଗାଡ଼ି ଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ର ବ୍ୟବହାର, ଗାଡ଼ିର ଫିଟିନେସ୍, ଓଭର ଲୋଡିଂ ଓ ହେଲ୍ମେଟ୍ର ବ୍ୟବହାର ଆଦି ବିଷୟକୁ ବେଶ୍ କଠୋର କରାଯାଇଛି । ଟ୍ରାଫିକ୍ ସମ୍ବନ୍ଧୀୟ ନିୟମକୁ ଉଲ୍ଲଘନ କଲେ ପୂର୍ବଠାରୁ ଅଧିକ ଦଣ୍ଡ ଦେବାର ପ୍ରାବଧାନ ରହିଛି ଏହି ବିଲ୍ରେ । ବିନା ଲାଇସେନ୍ସର ଗାଡ଼ି ଚଲାଇବା ପାଇଁ ୫୦୦୦ଟଙ୍କା ଜରିମାନା, ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ୍ରେ ବ୍ୟବହାର କଲେ ସେଥିପାଇଁ ୫୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ମଧ୍ୟ ୫୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଭାରିଯାନ ଚାଳକଙ୍କ ପାଇଁ ଧାରା ୧୮ ବି ସମାନ ଅଭିଯୋଗରେ ୫ହଜାର ଟଙ୍କା ଜରିମାନା ରହିଛି । ସିଟ୍ ବେଲ୍ଟ ନ ପିନ୍ଧିଲେ ୧୦୦ ଟଙ୍କା ଜରିମାନା ଲାଗୁଥିବାବେଳେ ଏବେ ଏଥିପାଇଁ ୧୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ନୂତନ ନିୟମ ଅନୁସାରେ ନିର୍ଦ୍ଧାରିତ ମାନଠାରୁ ଖରାପ ମାନର ଇଞ୍ଜିନ୍ ନିର୍ମାଣ କରୁଥିବା ଯାନବାହନ ନିର୍ମାଣ ସଂସ୍ଥାକୁ ୫୦୦ କୋଟି ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ଦେବାର ପ୍ରାବଧାନ କରାଯାଇଛି ।
ରାଜ୍ୟସଭାରେ ଆଗତ ହେଲା ମୋଟର ଯାନ ସଂଶାେଧନ ବିଲ୍
Published:
Jul 31, 2019, 6:55 pm IST
Tags: