ବାଣପୁର: ବୁଧବାର ଦିନ ରାଜ୍ୟ ନୋଡାଲ ଅଧିକାରୀ ମୌସୁମୀ ସାହୁ, ଯୁଗ୍ମ ନିର୍ଦ୍ଦେଶିକା, ଆଦର୍ଶ ବିଦ୍ୟାଳୟ , ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକ ରାୟ, ବରିଷ୍ଠ ବୈଷୟିକ ପରାମର୍ଶଦାତା ଦେବଦତ୍ତ ମହାନ୍ତି ବାଣପୁର ବ୍ଲକର ପି. ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର-୨ ଓ ପି. ଏମ. ଶ୍ରୀ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭେଟେଶ୍ୱର ପରିଦର୍ଶନରେ ଆସି ବିଦ୍ୟାଳୟ ଦ୍ଵୟର ପରିଚାଳନା, ସୁରକ୍ଷା, ସମସ୍ତ ସରକାରୀ ଆର୍ଥିକ ଅନୁଦାନ ରାଶିର ବିନିଯୋଗ, ବିନିଯୋଗ ପ୍ରମାଣପତ୍ର, ସାମାଜିକ ଅଡିଟ ସମ୍ପର୍କିତ ନଥି ପତ୍ର ତନଖି କରିବା ସହିତ ଦୁଇ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶ୍ରେଣୀ ଗୃହରେ ପିଲା ମାନଙ୍କର ପାଠ ପଢା ବୁଲି ଦେଖିଥିଲେ। ମୌସୁମୀ ସାହୁ ମାଧ୍ୟମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର କିଛି ପିଲା ମାନଙ୍କର ବର୍ଣାଳୀ ଓ ଉତ୍କର୍ଷ କାର୍ଯ୍ୟ ପୁସ୍ତିକା ଗୁଡିକୁ ଯାଞ୍ଚ କରିଥିଲେ। ବିଦ୍ୟାଳୟରେ ପିଲା ମାନଙ୍କ ସହିତ ବସି ପରିବେଷଣ ହେଉଥିବା ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ ଓ ଖାଦ୍ୟର ମାନ ଯାଞ୍ଚ କରି ଥିଲେ।
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକ ରାୟ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗର ଅଭିନବ ପ୍ରୟାଶ “RAISE ” କାର୍ଯ୍ୟକ୍ରମର ତଦାରଖ କରି ପିଲା ମାନଙ୍କୁ ଶିକ୍ଷାର ଏହି ବୈପ୍ଲବିକ ଚିନ୍ତାଧାରାରେ ଯୋଡି ହୋଇ ସମଗ୍ର ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାକୁ ଭିନ୍ନ ଏକ ରୂପରେ ପ୍ରତିଫଳିତ କରାଇବାକୁ ପରାମର୍ଶ ଦେଇଥିଲେ।
ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ପରେ ଉପସ୍ଥିତ ବାଣପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲୀ, ବୈଷୟିକ ପରାମର୍ଶଦାତା ଅଜିତ କୁମାର କର, ସି. ଆର.ସି. ସି. ସୂର୍ଯ୍ୟକାନ୍ତ ବେହେରା, ମଦନ ଦାସ, ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ପ୍ରସାଦ ଜେନା ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।