ଭୁବନେଶ୍ଵର: ରାଜ୍ୟରେ ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତ ପ୍ରତିଶତ ନିର୍ଭୁଲ ଭାବେ ସମ୍ପାଦନ କରିବା ସହ ଚଳିତ ମାସ ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଜାରି ରହିଥିବା ଡିଜିଟାଲ କୃଷି ସର୍ବେକ୍ଷଣ ୨୦୨୫ର ଅଗ୍ରଗତି ସଂପର୍କରେ ସମୀକ୍ଷା ପାଇଁ ଗତକାଲି ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଶ୍ରୀ ଆହୁଜା ବ୍ଳକ୍ ଓ ଜିଲ୍ଲାସ୍ତରୀୟ ଟିମକୁ ଦିଆଯାଇଥିବା ସର୍ବେକ୍ଷଣ କାର୍ଯ୍ୟର ଯାଞ୍ଚ କରିବା ଏବଂ କୌଣସି ସ୍ତରରେ ସର୍ବେକ୍ଷଣରେ ମିଥ୍ୟା ତଥ୍ୟ ପ୍ରଦାନ ବା ଠକେଇ କରାଯାଇଥିବା ଜଣାପଡିଲେ ସର୍ଭେୟରମାନଙ୍କୁ ପ୍ରାପ୍ୟ ନଦେବା ତଥା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।