ଉତ୍ତର ପ୍ରଦେଶର ଉନ୍ନାଓରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ବିଚାର ଦିଲ୍ଲୀର ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି ଜଣାପଡିଛି । ସିବିଆଇ ପକ୍ଷରୁ ଗୁରୁବାର ଏହି ସୂଚନା ପ୍ରଦାନ କରାଯାଇଛି । ବୁଧବାର ଦିନ ସିବିଆଇ ପକ୍ଷରୁ ନିଲମ୍ବିତ ବିଜେପି ବିଧାୟକ କୁଲ୍ଦୀପ ସେନ୍ଗାରଙ୍କ ସମେତ ଅନ୍ୟ 10 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଗୁରୁବାର କରାଯାଇଥିବା ଆବେଦନର ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ପୀଡିତାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ବାହାରେ ମାମଲାର ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍କୋର୍ଟ । ଏହା ସହିତ ଏକ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଦିନ ପୀଡିତା ନିଜ ଦୁଇ ପୀଉସୀ ଏବଂ ଓକିଲଙ୍କ ସହିତ ଉନ୍ନାଓରୁ ରାଏବରେଲୀ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିଲେ ।
Tags: