ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ରାଜ୍ୟସଭାରେ ପାସ୍ ହୋଇଯିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଏବେ ଏହା ଔପଚାରିକ ରୂପେ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ରେ ଦସ୍ତଖତ କରିଛନ୍ତି । ଏହି ଆଇନ୍ ପିଛିଲା ଭାବେ ସେପ୍ଟମ୍ବର ୧୯, ୨୦୧୮ରୁ ଲାଗୁ ହୋଇଛି । ମୋଦି ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ପାରିତ କରିଥିବା ବେଳେ ୩୦ ଜୁଲାଇରେ ରାଜ୍ୟସଭାରେ ପାରିତ କରିଥିଲେ। ଏବେ ଟ୍ରିପଲ ତଲାକକୁ ନେଇ ଯେଉଁ ସବୁ ଅଭିଯୋଗ କିମ୍ୱା ମାମଲା ଚାଲିଥିବ ତାହା ଏହି ଆଇନ୍ ଅନୁଯାୟୀ ବିଚାର ହେବ। ଏହି ଆଇନ୍ରେ ଟ୍ରିପଲ୍ ତଲାକ୍ ଦେବା ଆଇନତଃ ଅପରାଧ ହେବା ସହିତ ଏଥିପାଇଁ ତିନି ବର୍ଷର ଜେଲ୍ ଦଣ୍ଡ ଓ ଆର୍ଥିକ ଜରିମାନାର ପ୍ରାବଧାନ ରହିଛି । ରାଷ୍ଟ୍ରପତି ଏହି ବିଲ୍ ଗୃହୀତ ହେବା ପରେ ଏହାକୁ ସ୍ବାଗତ କରିଥିଲେ । ଏହା ମହିଳା ଓ ପୁରୁଷଙ୍କ ସମାନତା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
Tags: