ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ଅନଲାଇନ୍ ଗେମିଂ ବିଲ୍ ଯୋଗୁଁ ଡ୍ରିମ୧୧କୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସହିତ ଚୁକ୍ତି ଶେଷ କରିବାକୁ ପଡିଥିଲା। ଏବେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶ କରିଛି ଯେ, ‘ଆପୋଲୋ ଟାୟର୍ସ’ ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହୋଇପାରେ। କୁହାଯାଉଛି ଯେ, ଆପୋଲୋ ଟାୟର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେଇପାରେ। ଏହା ପୂର୍ବ ଚୁକ୍ତି ଅର୍ଥାତ୍ ଡ୍ରିମ୧୧ ଅପେକ୍ଷା ୫୦ ଲକ୍ଷ ଟଙ୍କା ଅଧିକ ହେବ। ଡ୍ରିମ୧୧ ପ୍ରତ୍ୟେକ ମ୍ୟାଚ୍ ପାଇଁ ୪ କୋଟି ଟଙ୍କା ଦେଉଥିଲା।
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ‘କାନଭା’ ଏବଂ ଜେକେ ଟାୟର୍ସ ମଧ୍ୟ ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବାକୁ ବିଡ୍ କରିଥିଲେ। ସେହି ସମୟରେ ବିର୍ଲା ଅପ୍ଟସ୍ ପେଣ୍ଟ୍ସ ମଧ୍ୟ ନିବେଶ କରିବାକୁ ଆଗ୍ରହୀ ଥିଲା। କିନ୍ତୁ ବିଡ୍ କରିବାକୁ ଚାହୁଁ ନଥିଲା। ପ୍ରାୟୋଜକ ପାଇବା ପାଇଁ ବିଡ୍ ଆଜି ରଖାଯାଇଥିଲା। ଅନ୍ୟପକ୍ଷରେ, ବିସିସିଆଇ ୨ ସେପ୍ଟେମ୍ବରରେ ଟାଇଟଲ୍ ପ୍ରାୟୋଜକ ପାଇଁ ବିଡ୍ ଆମନ୍ତ୍ରଣ କରିଥିଲା। ବିସିସିଆଇ ଦ୍ୱାରା ଜାରି ବିବୃତ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଗେମିଂ, ବେଟିଂ, କ୍ରିପ୍ଟୋ ଏବଂ ତମାଖୁ କମ୍ପାନୀଗୁଡ଼ିକୁ ବିଡ୍ କରିବାକୁ ଅନୁମତି ଦିଆଯିବ ନାହିଁ।
ପ୍ରକାଶ ଯେ, ଏସିଆ କପରେ ଟିମ୍ ଇଣ୍ଡିଆର ଜର୍ସିରେ କୌଣସି ପ୍ରାୟୋଜକ ନାହାନ୍ତି। ଯଦି ଆପୋଲୋ ଟାଇର୍ସ ସହିତ ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ‘ଆପୋଲୋ ଟାଇର୍ସ’ ନାମକ ଜର୍ସି ପିନ୍ଧି ପଡ଼ିଆରେ ପ୍ରବେଶ କରିପାରିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ଅକ୍ଟୋବର ୨ ତାରିଖରୁ ଅହମ୍ମଦାବାଦରେ ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ ତାରିଖରୁ ଦିଲ୍ଲୀରେ ଖେଳାଯିବ।