ସମୀକ୍ଷା ବ୍ୟୁରୋ
ବାହାରେ ଆପଣ ପରିଶ୍ରା କରୁଛନ୍ତି, ହେଲେ ସାବଧାନ। ଏଣିକି କୌଣସି ବାହାର ସ୍ଥାନରେ ମଳମୁତ୍ର ପରିତ୍ୟାଗ କଲେ ଆପଣଙ୍କୁ ଗଣିବାକୁ ପଡିବ ଜୋରିମାନା। ସହରକୁ ସ୍ବଚ୍ଛ ରଖିବା ପାଇଁ ଏହିପରି ଏକ ଭିନ୍ନ ନିୟମ କରିଛି ବ୍ରହ୍ମପୁର ମହାନଗର ନିଗମ। ବ୍ରହ୍ମପୁର ସହରରେ ସାଧାରଣତଃ ବାହାରେ ମଳମୁତ୍ର ତ୍ୟାଗ କରିବାରେ ଲୋକଙ୍କର ଅଭ୍ୟାସ ରହିଛି। ଏପରିକି ସର୍ଭେ ରିପୋର୍ଟରେ ମଧ୍ୟ ବାହାରେ ମଳମୁତ୍ର ତ୍ୟାଗ କରିବାରେ ବ୍ରହ୍ମପୁର ସହର ଆଗରେ ଅଛି। ଏହି ଅପମାନଠାରୁ ଦୂରେଇ ରହିବା ପାଇଁ ବିଏମସି ବା ବ୍ରହ୍ମପୁର ମହାନଗର ନିଗମ ଏହି ପଦକ୍ଷେପ ନେଇଛି। ନିଷ୍ପତି ଅନୁସାରେ ବାହାରେ ପରିଶ୍ରା କଲେ 10 ଟଙ୍କା ଏବଂ ମଳତ୍ୟାଗ କଲେ 50 ଟଙ୍କା ଜରିମାନା ଆଦାୟ କରାଯିବ। ଏହି ନିୟମ ଗତମାସଠାରୁ ଆରମ୍ଭ କରାଯାଇଛି। ଗତମାସରେ ବିଏମସି ପରିଶ୍ରା କରୁଥିବା ବେଳେ 18 ଜଣଙ୍କୁ ଧରି 10 ଟଙ୍କା ଲେଖାଏଁ ଆଦାୟ କରିଛି। ସେହିପରି ମଳତ୍ୟାଗ କରୁଥିବା 12 ଜଣଙ୍କୁ ଧରି 50 ଟଙ୍କା ଲେଖାଏଁ ଆଦାୟ କରିଛି। ଲୋକଙ୍କ ସୁବିଧା ପାଇଁ ବିଏମସି ବିଭିନ୍ନ ସ୍ଥାନରେ 25ଟି ଶୌଚାଳୟ ଏବଂ 64ଟି ପବ୍ଲିକ ଟଏଲେଟ ନିର୍ମାଣ କରିଛି। ହେଲେ ଲୋକମାନେ ସେଗୁଡିକ ବ୍ୟବହାର ଯେପରି କରିବା କଥା ତାହା କରୁ ନାହିଁନ୍ତି। ସେଥିପାଇଁ ମହାନଗର ନିଗମ ଏପରି ପଦକ୍ଷେପ ନେଇଛି।