ଏସିଆର ନୋବେଲ୍ ପୁରସ୍କାର କୁହାଯାଉଥିବା ସମ୍ମାନଜନକ ରମଣ ମାଗାସେସ୍ ପୁରସ୍କାରର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଏହି ପୁରସ୍କାରରେ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କ ଭିତରେ ରହିଛନ୍ତି ଭାରତୀୟ ସାମ୍ବାଦିକ ରବିଶ୍ କୁମାର । ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ରବିଶ୍ କୁମାର ଏହି ପୁରସ୍କାର ପାଇବାରେ ୧୧ତମ ଭାରତୀୟ ଅଟନ୍ତି। ଫିଲିଫାଇନ୍ସର ପୂର୍ବତନ ରାଷ୍ଟ୍ରପତି ରମଣ ମାଗାସେସ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏସିଆର ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ସଂସ୍ଥାକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ । ରବିଶ୍ କୁମାରଙ୍କ ବ୍ୟତୀତ ଚଳିତ ଥର ଏହି ପୁରସ୍କାର ସମ୍ମାନରେ ମିଆଁମାର୍ର ସୋ ବିନ୍, ଥାଇଲାଣ୍ଡର ଅଙ୍ଗହାନା ନିଲ୍ପାଇଜିତ୍, ଫିଲିଫାଇନ୍ସର ରେମଣ୍ଡ ଓ ଦକ୍ଷିଣ କୋରିଆର କିମ୍ ଜଙ୍ଗ ପ୍ରମୁଖ ସମ୍ମାନିତ ହେବେ । ପ୍ରାୟ ୧୨ ବର୍ଷ ପରେ ଜଣେ ଭାରତୀୟ ସାମ୍ବାଦିକ ଭାବେ ରବିଶ୍ କୁମାର ଏହି ସମ୍ମାନରେ ସମ୍ମାନିତ ହେବେ । ରବିଶ୍ଙ୍କ ପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ୨୦୦୭ ମସିହାରେ ପାଲଗୁମ୍ମୀ ସାଇନାଥ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାରରେ ଭାରତର ମହାଶ୍ବେତା ଦେବୀ, ରବି ଶଙ୍କର, କି ବେ ସୁବ୍ବନା, ରାଶିପୁରମ୍ ଲକ୍ଷ୍ମଣ, ଅରୁଣ ଶୋରି, ଗୌର କିଶୋର ଘୋଷ, ବୁବୁଲ୍ ଜର୍ଜ ବର୍ଗିସ୍, ସତ୍ୟଜିତ୍ ରାୟ, ଅମିତାଭ ଚୌଧୁରୀ ପ୍ରମୁଖ ସମ୍ମାନିତ ହୋଇଛନ୍ତି ।