Bathukamma Festival: ତେଲେଙ୍ଗାନାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବାଥୁକାମ୍ମା ମହୋତ୍ସବର ସମାରୋହ ଗତକାଲି ସନ୍ଧ୍ୟାରେ ଦୁଇଟି ନୂତନ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ହାଇଦ୍ରାବାଦର ସାରୁରନଗର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାର ସର୍ବବୃହତ ବାଥୁକାମ୍ମା ପୁଷ୍ପ ସାଜସଜ୍ଜା ପାଇଁ ଦୁଇଟି ବିଶ୍ୱ ରେକର୍ଡ ପାଇଛି।
ପ୍ରାୟ ସାତ ଟନ୍ ଫୁଲ ଏବଂ ୬୩.୧୧ ଫୁଟ ଉଚ୍ଚତା ଏବଂ ୧୧ ଫୁଟ ଚଉଡାରେ ନିର୍ମାଣ ହୋଇଛି ଏହାର ତୋରଣ। ବାଥୁକାମ୍ମା ନିର୍ମାଣରେ ପ୍ରାୟ ୩୦୦ ଜଣ ଶ୍ରମିକ କାର୍ଯ୍ୟ କରିଥିଲେ। ସେମାନେ ଧାତୁ ବାଉଁଶ ଏବଂ ଫୁଲ ସାହାଯ୍ୟରେ ଏହାକୁ ତିଆରି କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ ହେବାକୁ ୭୨ ଘଣ୍ଟା ସମୟ ଲାଗିଥିଲା।
ଏହାପରେ ୧୩୫୪ ଜଣ ମହିଳାଙ୍କ ଦ୍ବାରା ଫୁଲରେ ସଜାଯାଇଥିଲା। ଏତେ ସଂଖ୍ୟକ ମହିଳା ଏକ ସୁନ୍ଦର କାର୍ୟ୍ୟ ପାଇଁ ନିୟୋଜିତ ହୋଇଥିବାରୁ ଏହା ଦ୍ୱିତୀୟ ରେକର୍ଡ ହାସଲ କରିଛି। ଗିନିଜ୍ ବିଶ୍ୱ ରେକର୍ଡର ପ୍ରତିନିଧିମାନେ ପ୍ରଦର୍ଶନକୁ ବିଶ୍ୱ ରେକର୍ଡ ଭାବରେ ଘୋଷଣା କରିଥିଲେ ଏବଂ ରାଜ୍ୟ ପର୍ୟ୍ୟଟନ ମନ୍ତ୍ରୀ କୃଷ୍ଣା ରାଓ ଏବଂ ମହିଳା ବିକାଶ ମନ୍ତ୍ରୀ ଅନସୂୟା ସିତାକ୍କାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମିସ୍ ୱାର୍ଲ୍ଡ ୨୦୨୫ ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଏବଂ ମିସ୍ ୱାର୍ଲ୍ଡ ଦଳ ଏବଂ ପ୍ରତିଯୋଗିତାର ଅନ୍ୟ ଫାଇନାଲିଷ୍ଟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ବାଥୁକାମ୍ମା ହେଉଛି ତେଲେଙ୍ଗାନା ରାଜ୍ୟର ଏକ ପ୍ରସିଦ୍ଧ ଫୁଲ ଉତ୍ସବ। ଏହା ସାଧାରଣତଃ ଏହି ନବରାତ୍ରୀ ସମୟରେ ପାଳନ କରାଯାଇଥାଏ। ଏହି ଉତ୍ସବ ମା ପାର୍ବତୀଙ୍କୁ ସମର୍ପିତ ହୋଇଥାଏ। ସେଥିପାଇଁ ଏହାକୁ କେବଳ ମହିଳାମାନେ ପାଳନ କରିଥାନ୍ତି। ଏକ ବିରାଟ ତୋରଣରେ ଟନ ଟନ ଫୁଲରେ ସଜାଯାଇ ଏହା ପାଳନ କରାଯାଇଥାଏ। ଏହି ସମୟରେ ସୁସ୍ବାଦୁ ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ।
ଏହି ଉତ୍ସବ ପାଇଁ ଏକ ସ୍ବତନ୍ତ୍ର ପାରଂପାରିକ ସଂଗୀତ ରହିଛି। ସେହି ସଂଗୀତର ତାଳେତାଳେ ମହିଳାମାନେ ଏହି ତୋରଣ ଚାରିପଟେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଏହାପରେ ସେହି ଫୁଲ ସଜାକୁ ପାଣିରେ ବିସର୍ଜନ କରାଯାଇଥାଏ।