ଭୁବନେଶ୍ବର: ବ୍ରହ୍ମପୁରର ବରିଷ୍ଠ ଓକିଲ ପୀତବାସ ପଣ୍ଡା ହତ୍ୟା ବିରୋଧରେ ଆସନ୍ତାକାଲି କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ରାଜ୍ୟ ବାର କାଉନସିଲ। ଏ ନେଇ କାଉନିସର ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ସ୍ବର୍ଗତ ପଣ୍ଡାଙ୍କ ପରିବାରଙ୍କୁ ସହାୟତା ଦାବୀ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ପୀତବାସଙ୍କ ହତ୍ୟା ପରେ ଗତକାଲି ବିଳମ୍ବିତ ରାତିରେ ପରିଷଦର ଏକ ଜରୁରୀକାଳୀନ ଭର୍ଚୁଆଲ୍ ବୈଠକ ଡକାଯାଇଥିଲା। ଏଥିରେ ପୀତବାସଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରାଯିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ଜ୍ଞାପନ କରାଯାଇଛି। ସ୍ୱର୍ଗତ ପୀତବାସଙ୍କ ଆତ୍ମାର ଶାନ୍ତି ପାଇଁ ମଧ୍ୟ ପରିଷଦ ପ୍ରାର୍ଥନା କରିଛି।
ଏହି ହତ୍ୟାକାଣ୍ଡର ପ୍ରତିବାଦ ସ୍ବରୂପ ଅକ୍ଟୋବର 8 ତାରିଖରେ ରାଜ୍ୟବ୍ୟାପୀ “ପେନ୍-ଡାଉନ୍ ଧର୍ମଘଟ” ବା କଲମ ଛାଡ ଆନ୍ଦୋଳନ କରିବାକୁ ପରିଷଦ ଘୋଷଣା କରିଛି। ଏଥିରେ ସାରା ଓଡ଼ିଶାର ସମସ୍ତ ଓକିଲ କୋର୍ଟ କାର୍ଯ୍ୟରୁ ବିରତ ରହିବାକୁ ପରିଷଦ ଅନୁରୋଧ କରିଛି।
ପରିଷଦ ଦାବି କରିଛି-
- ସମୟସୀମା ମଧ୍ୟରେ ତଦନ୍ତ ମାଧ୍ୟମରେ ଦାୟୀଙ୍କୁ ତୁରନ୍ତ ଗିରଫ ଏବଂ ଦଣ୍ଡିତ କରାଯାଉ।
- ରାଜ୍ୟ ସରକାରଙ୍କ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ₹50 ଲକ୍ଷ ଟଙ୍କାର କ୍ଷତିପୂରଣ।
- ଅପରାଧ ପଛରେ ପରିସ୍ଥିତି ଏବଂ ଉଦ୍ଦେଶ୍ୟ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କମିଶନ ଗଠନ କରାଯାଉ। ଯାହାର ରିପୋର୍ଟ ତିନି ମାସ ମଧ୍ୟରେ ଦାଖଲ କରାଯିବ।
କାଉନିସଲ ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ମାମଲାକୁ ଅତ୍ୟନ୍ତ ଜରୁରୀକାଳୀନ ଭାବରେ ବିଚାର କରିବାକୁ ଏବଂ ରାଜ୍ୟ ସାରା ଓକିଲଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରିଛି। ଏ ସଂପର୍କରେ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ମୁଖ୍ୟବିଚାରପତିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
Read in English- Odisha Advocate Murder Case: Bar Council Demands Judicial Probe, Statewide Strike