ନୂଆଦିଲ୍ଲୀ: ୨୦୦୯ ବ୍ୟାଚର ଜଣେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ୮ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଅଧିକାରୀଜଣଙ୍କ ବର୍ତ୍ତମାନ ପଞ୍ଜାବର ରୋପର ରେଞ୍ଜରେ ଡିଆଇଜି ଭାବରେ ନିଯୁକ୍ତ ଅଛନ୍ତି। ଏହି ଅଧିକାରୀ ଅଭିଯୋଗକାରୀଙ୍କଠାରୁ ବାରମ୍ବାର ମାସିକ ବେଆଇନ ଦେୟ ମଧ୍ୟ ଚାହୁଁଥିଲେ ବୋଲି ଅଭିଯୋଗ ହୋଇଛି।
ଅଭିଯୋଗକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ଏକ ଏଫଆଇଆର “ନିଷ୍ପତ୍ତି” କରିବା ଏବଂ ତାଙ୍କ ବ୍ୟବସାୟ ବିରୁଦ୍ଧରେ ଆଉ କୌଣସି ଜବରଦସ୍ତି କିମ୍ବା ପ୍ରତିକୂଳ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଅଧିକାରୀ ତାଙ୍କ ମଧ୍ୟସ୍ଥିଙ୍କ ମାଧ୍ୟମରେ ୮ ଲକ୍ଷ ଟଙ୍କା ଲାଞ୍ଚ ଏବଂ ମାସିକ ବେଆଇନ ଦେୟ ଦାବି କରିଥିବା ଅଭିଯୋଗରେ ସିବିଆଇ ୧୬.୧୦.୨୦୨୫ ରେ ଅଭିଯୁକ୍ତ ସରକାରୀ କର୍ମଚାରୀ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି।
ବିଶେଷ ସୂତ୍ରରୁ ଖବର ପାଇ ସିବିଆଇ ଏକ ଜାଲ ବିଛାଇଥିଲା। ଚଣ୍ଡିଗଡ଼ ର ସେକ୍ଟର ୨୧ରେ ଡିଆଇଜିଙ୍କ ପକ୍ଷରୁ ଅଭିଯୋଗକାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି ଏବଂ ଗ୍ରହଣ କରିବା ସମୟରେ ସିବିଆଇ ମାଡିବସିଥିଲା। ଟ୍ରାପ୍ ପ୍ରକ୍ରିୟା ସମୟରେ ଅଭିଯୁକ୍ତଙ୍କୁ ଏକ ନିୟନ୍ତ୍ରିତ କଲ୍ କରାଯାଇଥିଲା, ଯେଉଁ ସମୟରେ ସେ ଦେୟ ସ୍ୱୀକାର କରିଥିଲେ। ଏହାସହିତ ମଧ୍ୟସ୍ଥି ଏବଂ ଅଭିଯୋଗକାରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ଟିମ ଅଭିଯୁକ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ମାଡି ବସିଥିଲା ଏବଂ ଚଣ୍ଡିଗଡ଼ରେ ଅଭିଯୁକ୍ତ ଓ ତାଙ୍କ ମଧ୍ୟସ୍ଥିଙ୍କୁ ଗିରଫ କରିଥିଲା।
ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ସରକାରୀ କର୍ମଚାରୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ତଲାସ ସମୟରେ, CBI ପ୍ରଚୁର ପରିମାଣର ନଗଦ ଏବଂ ଅପରାଧିକ ସାମଗ୍ରୀ ଜବତ କରିଛି, ଯେଉଁଥିରେ ଅନ୍ତର୍ଭୁକ୍ତ:
– ପ୍ରାୟ ୫ କୋଟି ଟଙ୍କା (ଏବଂ ଗଣନା କରାଯାଉଛି)
– ପ୍ରାୟ ୧.୫ କିଲୋଗ୍ରାମ ଓଜନର ଅଳଙ୍କାର
– ପଞ୍ଜାବରେ ଅସ୍ଥାବର ସମ୍ପତ୍ତି ଏବଂ ସମ୍ପତ୍ତି ସହିତ ଜଡିତ ଡକ୍ୟୁମେଣ୍ଟ
– ଦୁଇଟି ବିଳାସପୂର୍ଣ୍ଣ ଯାନ (ମର୍ସିଡିଜ୍ ଏବଂ ଅଡି) ର ଚାବି
– ୨୨ ଟି ବିଳାସପୂର୍ଣ୍ଣ ଘଣ୍ଟା
– ଲକର ଚାବି
– ୪୦ ଲିଟର ଦାମିକିଆ ମଦ ବୋତଲ
– ୧ ଡବଲ ବ୍ୟାରେଲ ବନ୍ଧୁକ, ୧ ପିସ୍ତଲ, ୧ ରିଭଲଭର, ୧ ଏୟାରଗନ୍, ଗୁଳି ସହିତ ମଧ୍ୟସ୍ଥିଙ୍କଠାରୁ ୨୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଆଜି ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯିବ। ତଲାସି ଏବଂ ଅଧିକ ତଦନ୍ତ ଜାରି ରହିଛି।