ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକୁ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ଇତ୍ୟାଦି ଦାବି ପୁରଣ ନିମନ୍ତେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ଅବିଚାର କାହିଁକି ବୋଲି ଶ୍ରୀଯୁକ୍ତ ଦାଶ ପ୍ରଶ୍ନ କରିଛନ୍ତି।
ସୂଚନାଥାଉକି, ତା.୦୧.୦୧.୨୦୦୪ରିଖରେ ସରକାର ବ୍ଲକ୍ଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ କଲେ। ସେ ମଧ୍ୟରୁ ଅନେକ ବିଦ୍ୟାଳୟ ୧୯୮୪-୮୫ ମସିହାରୁ ପ୍ରତିଷ୍ଠିତ ହୋଇଅଛି। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଶିକ୍ଷକମାନେ ୧୫୭୯ଟଙ୍କା ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଭାଇମାନେ ୮୭୭ ଟଙ୍କା ପାଉଥିଲେ ପରେ ତା.୨୨.୦୯.୨୦୦୭ରିଖରେ ୧୧୦ ବାଳିକା ବିଦ୍ୟାଳୟମାନଙ୍କୁ ସରକାର ବ୍ଲକଗ୍ରାଣ୍ଟ ପ୍ରଦାନ କଲେ, ପରେ ତା.୦୧.୦୪.୨୦୦୮ରିଖରେ ଦରମାର ପରିବର୍ତ୍ତନ ଫଳରେ ଶିକ୍ଷକମାନେ ୪୯୯୫ଟଙ୍କା ଓ ୪ର୍ଥ ଶ୍ରେଣୀ କର୍ମଚାରୀମାନେ ୨୫୪୭ଟଙ୍କା ପାଇଲେ।
୨୦୧୩ ମସିହାରେ ସରକାର ୫୬୬ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦେବା କଥା ହେଲେ ମାତ୍ର ୨୦୧୫ ମସିହାରେ ୩୯୯ଟି ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କଲେ। ତେଣୁୁ ୧୬୭ଟି ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହେଲେ। ୨୦୧୫ ମସିହାରେ ଆଉ କୌଣସି ବିଦ୍ୟାଳୟକୁ ଅନୁଦାନ ନଦେବା ପାଇଁ ସରକାର ଆମେଣ୍ଡମେଣ୍ଟ (ଇଜ୍ଞରଦ୍ଭୟଜ୍ଞରଦ୍ଭଗ୍ଧ) କଲେ। ୨୦୧୭ ଅନୁଦାନ ଆଇନରେ ସରକାର ଐତିହାସିକ ଗ୍ରାଣ୍ଟ-ଇନ୍-ଏଡ଼ ପ୍ରଦାନ କରାଗଲା ବୋଲି ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ତାହାକୁ ତା୦୧.୦୧.୨୦୧୮ରିଖରୁ କାର୍ଯ୍ୟକାରୀ କରାଗଲା। ମାତ୍ର ସେହି ଗ୍ରାଣ୍ଟ-ଇନ୍-ଏଡ଼ ଆଇନରେ ଚାକିରୀ ସର୍ତ୍ତାବଳୀ, ପେନସନ୍ ଏବଂ ଅବସରକାଳୀନ ସୁବିଧା ସୁଯୋଗ ନଥିଲା। ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୫୬୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଗଲେଣି। ସେମାନେ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେବା ଯୋଗାଇଥିଲେ ମଧ୍ୟ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି। ଅବସର ନେବା ପରଦିନ ଟଙ୍କାଟିଏ ମଧ୍ୟ ଔଷଧ କିଣିବା ପାଇଁ ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେମାନେ ଅବସର ନେବା ପରଦିନ ମୂଲଲାଗି ବା ଚା ଦୋକାନ କରି ନିଜର ଜୀବିକା ନିର୍ବାହ କରୁଛନ୍ତି।
ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମଗ୍ର ଓଡ଼ିଶାର ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ଅବସର ପରେ ପେନସନ୍ ପାଉନଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ପ୍ରଦାନ, ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ସରକାରୀକରଣ, ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୮, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ, ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା ପ୍ରଦାନ, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ ପ୍ରଦାନ, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍ର ପୁନଃ ପ୍ରଚଳନ କରିବା, ଶୂନ୍ୟପଡ଼ିଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପଦବୀ ପୂରଣ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼./ ବିଏ ସି.ପି.ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନିକ୍ରିମେଣ୍ଟ ପ୍ରଦାନ ଓ ନୂତନ ପେନସନ୍ ସ୍କିମ୍ (ଏନ୍.ପି.ଏସ୍) ପରିବର୍ତ୍ତେ ପୂରାତନ ପେନସନ୍ ସ୍କିମ୍ (ଓ.ପି.ଏସ୍) ପ୍ରଚଳନ କରିବା ଇତ୍ୟାଦି।
ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଏହିସବୁ ଅସମାହିତ ସମସ୍ୟାବଳୀଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପରୋକ୍ତ ଦାବି ଉପରେ ସହୃଦୟତାର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାପାଇଁ ଦୃଢ଼ ଦାବୀ କରିଛନ୍ତି।



