ଭୁବନେଶ୍ଵର: ଆସନ୍ତା ୨୮ ଓ ୨୯ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆସନ୍ତା ୨୮ ତାରିଖ ରାତିସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିବ।
ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ସହିତ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ୨୮ ଏବଂ ୨୯ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟସବୁ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବ।
ସେହିପରି ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ଚେତାଇ ଦିଆଯାଇଛି।



