ଭୁବନେଶ୍ଵର: ‘ମୋନ୍ଥା’ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି। ବାତ୍ୟା ସ୍ଥଳଭାଗର ଆହୁରୀ ନିକଟତର ହୋଇଛି। ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡାରୁ ବାତ୍ୟା ୨୭୦ କିମି ଦୂରରେ ଅଛି। ଏବଂ ଏହା ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳ ଭାଗ ଆଡକୁ ଗତି କରୁଛି। ପାଣିପାଗର ଆକଳନ ଅନୁଯାୟୀ, ବାତ୍ୟା ‘ମୋନ୍ଥା’ ସନ୍ଧ୍ୟା ସମୟରେ ‘ଲ୍ୟାଣ୍ଡ ଫଲ’ କରିବ।
ତେବେ ଓଡିଶା ଉପକୂଳ ଗୋପାଳପୁରଠାରୁ ଏହା ୫୫୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ‘ମୋନ୍ଥା’ ର ‘ଲ୍ୟାଣ୍ଡ ଫଲ’ ପ୍ରକ୍ରିୟା ଶେଷ ହୋଇଯିବ। ଓଡିଶାରେ ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ସର୍ବାଧିକ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।



