ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ରୁ ଉକ୍ତ ବ୍ୟାଙ୍କର ଜନୈକ କର୍ମଚାରୀ ବନ୍ଧକ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନକଦ ଟଙ୍କା ଆତ୍ମସାତ କରିଥିବା ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଚଳିତ ଅଗଷ୍ଟ ୫ ରେ ବାଲୁଗାଁ ଏସ୍ବିଆଇ ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ସେଠି ବାଲୁଗାଁ ଥାନାରେ ଦେଇଥିବା ଅଭିଯୋଗ ମୁତାବକ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଥିବା ତତ୍କାଳୀନ ବରିଷ୍ଠ ସହାୟକ (ସିନିୟର ଆସୋସିଏଟ, କ୍ୟାସ ଇନଚାର୍ଜ) ଜିତେନ୍ଦ୍ର କୁମାର ବିଶ୍ବାଳ ଅନ୍ଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ପରେ ଏହାର ଭରଣା ପାଇଁ ବାଲୁଗାଁ ଏସ୍ବିଆଇ ବ୍ୟାଙ୍କରେ ବନ୍ଧକ ଥିବା ୧୨ ପ୍ୟାକେଟ ସୁନା ଅଳଙ୍କାର ଆଣି ବାଲୁଗାଁରେ ଥିବା ଏକାଧିକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧା ରଖି ଟଙ୍କା ଆତ୍ମସାତ୍ କରିଥିଲେ।
ଅନୁରୂପ ଭାବେ ଏସ୍ବିଆଇ ଏଟିଏମ ରେ ଭର୍ତ୍ତି ପାଇଁ ଆସିଥିବା ୬ ଲକ୍ଷ ୨୭ ହଜାର ଟଙ୍କା ଏବଂ ବ୍ୟାଙ୍କରୁ ୭୫ ହଜାର ନକଦ ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସୁନା ଅଳଙ୍କାର ମୂଲ୍ୟ ଓ ନକଦ ଅର୍ଥ ମିଶାଇ ସମୁଦାୟ ୭୬ ଲକ୍ଷ ୯୮ ହଜାର ଟଙ୍କା ସେ ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଛି।
ତେବେ ଆଶ୍ଚର୍ଯ୍ୟର ବିଷୟ ଖୋଦ ଶ୍ରୀ ବିଶ୍ୱାଳ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ଏସବିଆଇ ସର୍କଲର ଚିଫ ଜେନେରାଲ ମ୍ୟାନେଜର ଏବଂ ଜୁଲାଇ ୨୯ ତାରିଖରେ ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକଙ୍କୁ ଚିଠି ଦ୍ୱାରା ଜଣାଇ ଫେରାର ହୋଇଯାଇଛନ୍ତି।
ଅନୁରୂପ ଭାବେ ଅନ୍ଲାଇନ ଟ୍ରେଡିଂରେ କ୍ଷତି ଦ୍ୱାରା ସେ ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ ଏବଂ ଭବିଷ୍ୟତରେ ହେବ ଯଦି ଆତ୍ମହତ୍ୟା କରିପାରନ୍ତି ତେଣୁ ଉକ୍ତ ଆତ୍ମସାତ ଘଟଣାରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ସେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉକ୍ତ ଚିଠିରେ ଲେଖିଥିଲେ। ବାଲୁଗାଁ ପୋଲିସ ଏ ନେଇ କେସ ନମ୍ବର ୨୩୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ତେବେ ବାଲୁଗାଁ ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀ ସେଠୀ କହିଛନ୍ତି, ଗ୍ରାହକଙ୍କୁ ସେମାନଙ୍କ କ୍ଷତିପୂରଣ ନିଶ୍ଚିତ ମିଳିବ।



