ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ ତାରିଖରୁ ଗୌହାଟିରେ ଖେଳାଯିବ। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୧-୦ ରେ ଆଗୁଆ ହୋଇଛି। ଏବେ ସିରିଜରେ କ୍ଲିନ୍ ସୁଇପ୍ ଏଡାଇବା ପାଇଁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ। ସୂଚନା ଅନୁଯାୟୀ ଅଧିନାୟକ ଶୁଭମନ ଗିଲ ଏବଂ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଦ୍ୱିତୀୟ ଟେଷ୍ଟରେ ଖେଳିବାର ସମ୍ଭାବନା କମ୍।
ଭାରତୀୟ ଦଳ ପ୍ରବନ୍ଧନ ଏପର୍ଯ୍ୟନ୍ତ ନଭେମ୍ବର ୨୨ ତାରିଖରୁ ଗୌହାଟିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲଙ୍କ ଅଂଶଗ୍ରହଣ ବିଷୟରେ ନିଷ୍ପତ୍ତି ନେଇନାହିଁ। ତଥାପି, ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଗିଲ୍ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏପରି ପରିସ୍ଥିତିରେ, ତାଙ୍କ ସ୍ଥାନରେ ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଦଳର ନେତୃତ୍ୱ ନେବେ।
ଶୁଭମନ ଗିଲଙ୍କ ବଦଳ ଖେଳାଳି ଭାବରେ ଦଳରେ ଯୋଗ ଦେଲେ ନୀତିଶ ରେଡ୍ଡୀ
ନୀତୀଶ କୁମାର ରେଡ୍ଡୀଙ୍କୁ ପୂର୍ବରୁ ଟିମ୍ ଇଣ୍ଡିଆରୁ ମୁକ୍ତ କରାଯାଇଥିଲା ଯାହାଦ୍ୱାରା ସେ ଇଣ୍ଡିଆ ଏ ପାଇଁ ଖେଳିପାରିବେ। ତଥାପି, ରେଡ୍ଡୀଙ୍କୁ ଏବେ ଟିମ୍ ଇଣ୍ଡିଆରେ ପୁନଃ ସାମିଲ କରାଯାଇଛି। ସେ ଅଧିନାୟକ ଶୁଭମନ ଗିଲଙ୍କ ବଦଳ ଖେଳାଳି ଭାବରେ ଦଳରେ ପୁନର୍ବାର ଯୋଗ ଦେଇଛନ୍ତି। ଗିଲ୍ ମଧ୍ୟ ଦଳ ସହିତ ଗୌହାଟି ଯାତ୍ରା କରିବେ, କିନ୍ତୁ ତାଙ୍କର ଅଂଶଗ୍ରହଣ ସମ୍ଭାବନା କମ୍।
ଦ୍ୱିତୀୟ ଟେଷ୍ଟରେ କୁଲଦୀପ ଯାଦବଙ୍କ ଅଂଶଗ୍ରହଣ ମଧ୍ୟ ସମ୍ଭାବନା କମ୍
ସୂଚନା ଅନୁଯାୟୀ, ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିନପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କୁଲଦୀପ ଯାଦବ ନଭେମ୍ବର ଶେଷରେ ବିବାହ କରୁଛନ୍ତି। ତେଣୁ, ସେ ଛୁଟିରେ ଯାଇପାରନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କୁଲଦୀପ ପୂର୍ବରୁ ବିସିସିଆଇ ଠାରୁ ଛୁଟି ପାଇଁ ଅନୁରୋଧ କରିସାରିଛନ୍ତି।
ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: କେଏଲ ରାହୁଲ, ଯଶସ୍ୱୀ ଜୟସ୍ଵାଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ରିଷଭ ପନ୍ତ (ଅଧିନାୟକ ଏବଂ ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମରାହ।


