ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ସହରର ବ୍ୟସ୍ତବହୁଳ ମେଡିକାଲ ଛକରେ ପାଉଁଶ ବୋଝେଇ ହାଇୱା ଧକ୍କାରେ ଜଣେ ବାବାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସୂଚନାରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ମେଡିକାଲ ଛକରେ ସମ୍ବଲପୁର ଆଡୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ପାଉଁଶ ବୋଝେଇ ହାଇୱା ଏକ ଲୁନାଗାଡିକୁ ଧକ୍କା ଦେଇଥିଲା। ଫଳରେ ସାଧୁବାବଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇଛି। ମୃତକ ହେଲେ ରେଢ଼ାଖୋଲ ଥାନା ବୈଷ୍ଣବଝୁଲି ଆଶ୍ରମର ରଜନୀ ବାବା ବୋଲି ଜଣାପଡିଛି।
ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ହାଇୱା ଗାଡିକୁ ଜବତ କରିବା ସହିତ ଚାଳକ ଫେରାର ଥିବା ଜଣା ପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।


