Mokshada Ekadashi: ଆଜି ହେଉଛି ଡିସେମ୍ବର ପହିଲା। ଆଜି ହେଉଛି ଏକାଦଶୀ। ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଏକାଦଶୀକୁ ମୋକ୍ଷଦା ଏକଦାଶୀ ବୋଲି କୁହାଯାଏ। ଏହି ଏକାଦଶୀର ଉଦ୍ଦେଶ୍ୟ ହେଉଛି ଯେ, ମଣିଷକୁ ମୋକ୍ଷା ପ୍ରାପ୍ତି ହୋଇଥାଏ। ତେବେ ଆଜି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତା ବାଣୀ ଶୁଣାଇଥିଲେ। ସେଥିପାଇଁ ଏହାକୁ ଗୀତା ଜନ୍ମ ବୋଲି କୁହାଯାଇଥାଏ।
ଯେଉଁମାନେ ଏହି ଏକାଦଶୀ ପାଳନ କରିଥାନ୍ତି ସେମାନେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତୀ ହୋଇଥାନ୍ତି। ଏଥିସହିତ ଏହି ଏକାଦଶୀର ଅନ୍ୟ ଏକ ମହତ୍ବ ହେଉଛି ନିଜର ମୋକ୍ଷ ସହିତ ନିଜ ପିତୃପୁରୁଷଙ୍କର ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ। ପଦ୍ମ ପୁରାଣରେ ଏହି ମୋକ୍ଷଦା ଏକାଦଶୀର ମହାତ୍ମା ବର୍ଣ୍ଣନା କରାଯାଇଛି। ଏଥିସହିତ ଏହି ଅନ୍ୟ ପୁରାଣ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି।
ଏହି ଏକାଦଶୀ ନେଇ ପୁରାଣରେ ଏକ ସୁନ୍ଦର କାହାଣୀ ରହିଛି। ଏକଦା ଚମ୍ପା ନଗରୀରେ ବୈଖାନକ ନାମକ ଜଣେ ପ୍ରତାପୀ ରାଜା ଥିଲେ। ଥରେ ତାଙ୍କର ପିତା ତାଙ୍କୁ ସ୍ବପ୍ନରେ କହିଲେ ଯେ, ସେ ନର୍କରେ ଘାଣ୍ଟି ହେଉଛନ୍ତି। ମୋତେ ସେଥିରୁ ଉଦ୍ଧାର କର। ଏହା ଜାଣିବା ପରେ ରାଜା ପର୍ବତ ଋଷିଙ୍କ ପାଖରେ ଶରଣ ପଶିଲେ। ଋଷି କିଛି ସମୟ ଧ୍ୟାନରେ ବସିବା ପରେ ସେ ତାଙ୍କ ପିତାଙ୍କ କାହାଣୀ କହିଲେ।
ପର୍ବତ ଋଷି କହିଲେ ଯେ, ତୁମର ପିତା ଜଣେ ରାଣୀଙ୍କୁ ଏତେ ମାତ୍ରାରେ ଭଲ ପାଇଲେ ଯେ, ସେ ଅନ୍ୟ ରାଣୀମାନଙ୍କୁ ଭୁଲିଗଲେ। ତାହାର ପାପରେ ସେ ବର୍ତ୍ତମାନ ନର୍କରେ ଘାଣ୍ଟି ହେଉଛନ୍ତି। ହେ ରାଜା ତୁମେ ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଏକାଦଶୀକୁ ପାଳନ କର। ଏହାଦ୍ବାରା ତୁମର ପିତାଙ୍କ ସ୍ବର୍ଗପ୍ରାପ୍ତୀ ହେବ।
ଋଷିଙ୍କ କଥା ଶୁଣିବା ପରେ ରାଜା ସେହି ଏକାଦଶୀ ପାଳନ କଲେ ଏବଂ ତାଙ୍କର ପିତାଙ୍କ ମୋକ୍ଷ ପ୍ରାପ୍ତି ହେଲା। ସେହିଦିନଠାରୁ ଏହି ଏକାଦଶୀକୁ ମୋକ୍ଷଦା ଏକାଦଶୀ ଭାବେ ପାଳନ କରାଯାଉଛି।


