ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କାଙ୍କରକୋଣ୍ଡା, ଏମ୍ଭି-୩୭, କୋରକଣ୍ଡା ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ପାଙ୍ଗାମ, ଏମ୍ଭି -୯୦, କନ୍ୟାଶ୍ରମ, ପୋଟେରୁ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ଶହଶହ ଗାଁ ପାଣି ଘେରରେ ରହିଥିବାବେଳେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ପ୍ରବଳ ବର୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଛୁଟି ଦିଆଯାଇନାହିଁ । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟାତା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ ।