ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୯ ୱିକେଟରେ ପରାସ୍ତ କରିଛି। ଯଶସ୍ୱୀ ଜୟସ୍ଵାଲ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବାବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ବିଜୟ ସହିତ ଭାରତୀୟ ଦଳ ୨-୧ ରେ ସିରିଜ ବିଜୟ ଦଖଲ କରିଛି। ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାର ୨୭୦ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଜବାବରେ ଟିମ୍ ଇଣ୍ଡିଆ ୬୧ ବଲ୍ ପୂର୍ବରୁ ୯ ୱିକେଟରେ ମ୍ୟାଚ୍ ଜିତିଥିଲା।
୨୭୧ ରନ୍ ର ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ଭଲ ଆରମ୍ଭ କରିଥିଲା। ସିରିଜର ପୂର୍ବ ଦୁଇଟି ମ୍ୟାଚ୍ ରେ ମାତ୍ର ୪୦ ରନ୍ କରିପାରିଥିବା ଜୟସ୍ଵାଲ ୭୫ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ସେ ରୋହିତ ଶର୍ମାଙ୍କ ସହିତ ୧୫୫ ରନ୍ ର ଓପନିଂ ପାର୍ଟନରସିପ୍ କରିଥିଲେ। ଜୟସ୍ଵାଲ ଏହି ମ୍ୟାଚ୍ ରେ ୧୨୧ ବଲ୍ ରେ ୧୧୬ ରନ୍ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୧୨ଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ। ଜୟସ୍ୱାଲ ତିନୋଟି ଫର୍ମାଟରେ ଶତକ ମାରିବା ସହିତ ଷଷ୍ଠ ଭାରତୀୟ ବ୍ୟାଟସମ୍ୟାନ୍ ମଧ୍ୟ ହୋଇପାରିଛନ୍ତି।
ରୋକୋଙ୍କ ଆତଙ୍କ:
ରୋହିତ ଶର୍ମା ରାଞ୍ଚିରେ ୫୭ ରନ କରିଥିଲେ। ତା’ପରେ ସେ ଦ୍ୱିତୀୟ ଦିନିକିଆରେ ପ୍ରାରମ୍ଭରେ ଆଉଟ ହୋଇଯାଇଥିଲେ, କିନ୍ତୁ ତୃତୀୟ ଦିନିକିଆରେ ସେ ୭୫ ରନ କରିଥିଲେ, ଯେଉଁଥିରେ ସାତ ଚୌକା ଏବଂ ତିନୋଟି ଛକା ସାମିଲ ଥିଲା। ଅନ୍ୟପକ୍ଷରେ ବିରାଟ କୋହଲି ପଡ଼ିଆକୁ ଆସିବା ମାତ୍ରେ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଥିଲେ। ବିରାଟ ୪୫ ବଲ୍ ରେ ୬୫ ରନ କରି ଅପରାଜିତ ରହିଥିଲେ। ଏହି ଦ୍ରୁତ ଇନିଂସରେ ସେ ଛଅ ଚୌକା ଏବଂ ତିନୋଟି ଛକା ମାରିଥିଲେ। ଜୟସ୍ୱାଲ ଏବଂ କୋହଲି ୮୪ ବଲ୍ ରେ ୧୧୬ ରନର ଭାଗୀଦାରି କରିଥିଲେ।
କୁଲଦୀପ ଯାଦବ ରଚିଲେ ଇତିହାସ:
ପୂର୍ବରୁ କୁଲଦୀପ ଯାଦବ ତାଙ୍କ ବୋଲିଂରେ ଇତିହାସ ସୃଷ୍ଟି କରିଥିଲେ। କୁଲଦୀପ ମ୍ୟାଚ୍ ରେ ଚାରିଟି ୱିକେଟ ନେଇଥିଲେ। ସେ ଏବେ ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଚାରିଟି ୱିକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ସାମିଲ ହୋଇଛନ୍ତି। ସେ ୧୧ ଥର ଚାରିଟି ୱିକେଟ ନେଇଛନ୍ତି। କେବଳ ଅଜିତ ଅଗରକର (୧୨ ଥର) ଏବଂ ମହମ୍ମଦ ଶାମି (୧୬ ଥର) ଆଗରେ ଅଛନ୍ତି। ବୋଲିଂ ବିଭାଗରେ ପ୍ରସିଦ୍ଧ କୃଷ୍ଣ ମଧ୍ୟ ଚାରୋଟି ୱିକେଟ ନେଇଥିଲେ।


