ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ଘଟଣାରେ ତ୍ୱରିତ ପଦକ୍ଷେପ ସ୍ୱରୂପ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଏ ନେଇ ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି। ଅଭିଯୁକ୍ତ ୩ ଜଣ ହେଲେ ଶ୍ରୀନିବାସପୁର ଗ୍ରାମର ସୁଶାନ୍ତ ଶାସମଲ (୨୨), ବଳରାମ ଶାସମଲ (୨୬) ଏବଂ ଅଚ୍ୟୁତରାଜପୁର ଶାସନ ଗ୍ରାମର ଅମ୍ବିକା ହୋତା (୨୬)।
ସେମାନଙ୍କ ନିକଟରୁ ପୋଲିସ ରୂପା ଅଣ୍ଟାପଟିଆ, ରୂପା ମାଳି, ମା’ ଲକ୍ଷ୍ମୀଙ୍କ ପିତଳର ମୂର୍ତ୍ତି ଏବଂ ୧୫୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ପୂର୍ବ ଅପରାଧିକ ମାମଲା ବିଷୟରେ ପୋଲିସ ଯାଞ୍ଚ ଜାରି ରଖିଥିବା ବେଳେ ଚବିଶ ଘଣ୍ଟା ମଧ୍ୟରେ ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି। ଏହାଦ୍ୱାରା ଲୋକଙ୍କ ବିଶ୍ୱାସର ପୁନର୍ଥାପନ ହୋଇଥିବା ବେଳେ ଜନସାଧାରଣ ବାଣପୁର ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


