ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତାର ୮ ଟି ସାମିଲ ସଂଗଠନ ଯଥା- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦୁଇ ଦିନ ହେଲା ହଜାର ହଜାର ସଂଖ୍ୟାରେ ଦିନରାତି ହାଡ଼ଭଙ୍ଗା ଶୀତକୁ ଭ୍ରୂକ୍ଷେପ ନକରି ଗାନ୍ଧୀମାର୍ଗରେ ପଡ଼ିରହିଛନ୍ତି। ଏହିସବୁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଏତେ ଜଟିଳ ଯେ ଜୀବନ ଓ ଜୀବନ ସେମାନଙ୍କ ନିକଟରେ ତୁଚ୍ଛ ପାଲଟି ଯାଇଛି। ଅଥଚ ସରକାରଙ୍କ ପକ୍ଷରୁ ସମାନ୍ୟତମ ସମ୍ବେଦନଶୀଳତା ପରିଲକ୍ଷିତ ହେଉ ନାହିଁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ପ୍ରକାଶଥାଉକି, ସରକାର ବିଭିନ୍ନ ପର୍ଯ୍ୟାୟରେ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ କେବଳ ଆଶ୍ୱାସନା ଓ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ମାତ୍ର ତାହାକୁ କାର୍ଯ୍ୟକାରୀ କରାଉ ନାହାଁନ୍ତି। ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଦାବି ପୂରଣ କ୍ଷେତ୍ରରେ ପାଦଟିଏ ମଧ୍ୟ ଆଗକୁ ବଢ଼ାଇବାକୁ ସରକାର ସକ୍ଷମ ହୋଇପାରି ନାହାଁନ୍ତି। ଶିକ୍ଷକ କର୍ମଚାରୀଙ୍କର ସମସ୍ୟାକୁ ସରକାର ହୃଦୟଙ୍ଗମ କରୁଛନ୍ତି ସତ ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ତାହା ପୂରଣ ହୋଇପାରୁ ନାହିଁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ମାଗଣାରେ, ଅନାହାର ଓ ଅର୍ଦ୍ଧାହାରରେ ଶିକ୍ଷାଦାନ କରିଚାଲିଛନ୍ତି। ସେମାନଙ୍କୁ କାହିଁକି ଅନୁଦାନ ପ୍ରଦାନ କରାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଟି ୩୦ ବର୍ଷ ଚାକିରି କଲା ପରେ ଅବସର ନେବା ବେଳେ ଶୂନ୍ୟ ହସ୍ତରେ ବିଦାୟ ନେଉଛି । ତା ପାଇଁ ପେନସନ୍ ନାହିଁ, ଚାକିରି ସର୍ତ୍ତାବଳୀ ନାହିଁ। ଅବସର ପରେ ସେ ମୂଲ ଲାଗେ କିମ୍ବା ପାନଦୋକାନ କରି ଗୁଜୁରାଣ ମେଣ୍ଟାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ ଟୋପାଏ ଖାଇବାକୁ ମଧ୍ୟ ତା ପାଖରେ ଅର୍ଥ ନାହିଁ, ସିଧା ସଳଖ ସରକାର ମାନବାଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି।
ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥା ଅନୁସାରେ ପେନସନ୍ ଓ ଅବସରକାଳୀନ ସୁବିଧା, ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା, ୨୦୧୩ ମସିହା ସୁଦ୍ଧା ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବିଦ୍ୟାଳୟରେ ପ୍ରଚଳିତ ସମାନ ସୁବିଧା ସୁଯୋଗ ଯଥା- ଶିକ୍ଷାଉପକରଣ, ପୋଷାକ ଓ ସାଇକେଲ ଯୋଗାଇ ଦେବା ଇତ୍ୟାଦି। ବର୍ତ୍ତମାନର ଲୋକଙ୍କର ସରକାର ଏହି ଦାବିଗୁଡ଼ିକର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅନୁଦାନରୁ ବାଦ୍ ପଡ଼ିଥିବା ସ୍ୱଳ୍ପ ସଂଖ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିôବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଅହୋରାତ୍ର ଧାରଣାର ଦ୍ୱୀତୀୟ ଦିବସରେ ଆନ୍ଦୋଳନ ସ୍ଥଳରେ ବିଶ୍ୱ ଶିକ୍ଷକ ସଂଗଠନର ସଭାପତି, ଡ. ଅମୀୟ ମହାନ୍ତି, ସିପିଏମ୍ ର ସେକ୍ରେଟାରିଏଟ୍ ମେମ୍ବର ଶ୍ରୀଯୁକ୍ତ ସନ୍ତୋଷ ଦାସ, ସିପିଆଇର ସାଧାରଣ ସମ୍ପାଦକ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ ସଭାରେ ଉଦ୍ବୋଧନ ଦେବା ସହିତ ଏହି ଆନ୍ଦୋଳନ ପ୍ରତି ତାଙ୍କର ଦଳ ଓ ସଂଗଠନର ସମର୍ଥନ ଜଣାଇଛନ୍ତି।
ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରନ୍ତୁ ନଚେତ୍ ଆଗାମୀ ଦିନରେ ଏଥିପାଇଁ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


