ଭୁବନେଶ୍ଵର: ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି ବୋଲି କହିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଇଣ୍ଡିଆନ ମ୍ୟାନେଜମେଣ୍ଟ ସ୍କୁଲ ଆସୋସିଏନର ବାର୍ଷିକ ମହାସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ କହିଛନ୍ତି, ଶିକ୍ଷା ହେଉଛି ଏପରି ଶକ୍ତି ଯାହା ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଇଥାଏ। ଏହା ବ୍ୟକ୍ତିବିଶେଷଙ୍କୁ ସଶକ୍ତ, ଗୋଷ୍ଠୀକୁ ମଜବୁତ ଏବଂ ଦେଶକୁ ସ୍ପଷ୍ଟତାର ସହିତ ଆହ୍ୱାନର ସମ୍ମୁଖୀନ ହେବାକୁ ସକ୍ଷମ କରିଥାଏ। ଭାରତରେ ପରିଚାଳନା ଶିକ୍ଷା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ଶିକ୍ଷାନୁଷ୍ଠାନଗୁଡ଼ିକ
କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ ଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଛାତ୍ରଛାତ୍ରୀମାନେ ଜଟିଳ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ପାରୁଛନ୍ତି। ଓଡ଼ିଶା ଆଧୁନିକ ମହତ ଆକାଂକ୍ଷା ଏବଂ କାଳଜୟୀ ଐତିହ୍ୟର ଅନନ୍ୟ ମିଶ୍ରଣ – ଏହା ପର୍ଯ୍ୟଟନ, ଶିଳ୍ପ ଏବଂ ନବସୃଜନ ପାଇଁ ଅପାର ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୦ ଟି ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ।


