ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୋରା ମଦ ବିକ୍ରି ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ଥିବା ଜଣେ ଅଭିଯୁକ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ବାଣପୁର ପୋଲିସ ସୂଚନା ମୁତାବକ ସ୍ଥାନୀୟ ଦାଶରଥୀପୁର ଗ୍ରାମ (ପୋଡ଼ାସାହି) ରେ ବିପୁଳ ପରିମାଣରେ ଚୋରା ମଦ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ସଂନ୍ଧ୍ୟାରେ ଉକ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦାଶରଥୀପୁର ଗ୍ରାମର ଛବିନ୍ଦ୍ର ନାୟକଙ୍କୁ ଦେଶୀ ମଦ ସହ ଅଟକ ରଖିଥିଲା।
ତେବେ ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୋଲିସ ବାଣପୁର ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ବାଣପୁରରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲ ପହଂଚିଲାବେଳକୁ ଡାକ୍ତର ସେଠାରେ ଛବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତ ଛବିନ୍ଦ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ମୃତ ଛବିନ୍ଦ୍ରଙ୍କ ପୁର୍ବରୁ ଏକାଧିକ ରୋଗ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି।
ଅପରପକ୍ଷେ ମୃତ ଛବିନ୍ଦ୍ରଙ୍କ ସ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ଦୃଷ୍ଟିରେ ବାଣପୁର ଥାନାର ସୁରକ୍ଷା ବଢ଼ାଇଦିଆଯାଇଛି।


