କଟକ: ଆଜିକାଲି ସବୁ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା – ଏଆଇର ବହୁଳ ଉପଯୋଗ କରାଯାଉଛି। କିନ୍ତୁ ବିଚାର ପ୍ରକ୍ରିୟାରେ ଏହାର ପ୍ରୟୋଗ ବେଳେ ମାନବୀୟ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି। କଟକର ସହୀଦ ଭବନଠାରେ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ “ବିନା ବିଳମ୍ବରେ ସ୍ୱଳ୍ପ ଖର୍ଚ୍ଚରେ ସାଧାରଣ ନାଗରିକଙ୍କୁ ନ୍ୟାୟ ପ୍ରଦାନ” ଶୀର୍ଷକ ଏକ ଆଲୋଚନା ଚକ୍ରରେ ଉଦବୋଧନ ଦେଇ ସେ କହିଛନ୍ତି, ଅଦାଲତଗୁଡିକରେ ମାମଲା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରେ ମଧ୍ୟ ବିଳମ୍ବ ଘଟୁଛି।
ଏହି ସମସ୍ୟାର ନିରାକରଣ ପାଇଁ ମଧ୍ୟସ୍ଥତା ମାଧ୍ୟମରେ ବିଚାର ଜରୁରୀ। ଏହି ପ୍ରକ୍ରିୟାରେ ସାଧାରଣ ଲୋକେ ଶୀଘ୍ର ନ୍ୟାୟ ପାଇପାରିବେ। କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ମୁଖ୍ୟବକ୍ତା ଭାବେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର ଆସୋସିଏସନର ସଭାପତି ମନୋଜ କୁମାର ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଓଡିଶା ବାର କାଉନସିଲ୍ର ସଭାପତି ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ୫୦ ବର୍ଷରୁ ଅଧିକ ସମୟ ଧରି ଆଇନବୃତ୍ତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାଛଡା ସର୍ବଭାରତୀୟ ବିଚାରପତି ବ୍ୟାଡମିଣ୍ଟନ ଚମ୍ପୟାନସିପ୍ର ବିଜେତା ଓ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।


