ନୂଆଦିଲ୍ଲୀ: ରାୟବରେଲି ଠାରେ ଥିବା ଆଧୁନିକ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ୍) ଚଳିତ ଆର୍ଥିକ ବର୍ଷରେ ୧୫ ଡିସେମ୍ବରରେ ଏହାର ୧୫,୦୦୦ ତମ କୋଚ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ଏମସିଏଫ୍ ମୋଟ ୧୩୧୦ଟି କୋଚ୍ ନିର୍ମାଣ କରିଛି।
ରେଳ ମନ୍ତ୍ରଣାଳୟ ଅଧୀନରେ ଏକ ନୂତନ ଭାବେ ପ୍ରତିଷ୍ଠିତ ଉତ୍ପାଦନ ୟୁନିଟ୍ ଏମସିଏଫ୍ ସ୍ୱଳ୍ପ ସମୟ ମଧ୍ୟରେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତା ଏମସିଏଫ୍ ଦଳର ସମର୍ପଣ, ପ୍ରତିବଦ୍ଧତା ଏବଂ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରୁଛି।
ମୋଟ ନିର୍ମିତ ୧୫,୦୦୦ଟି କୋଚ୍ ମଧ୍ୟରୁ ୭୦୦୦ଟି ଶୀତତାପ ନିୟନ୍ତ୍ରିତ (ଏସି) କୋଚ୍ ଏବଂ ୮୦୦୦ଟି ଅଣ-ଶୀତତାପ ନିୟନ୍ତ୍ରିତ (ଅଣ-ଏସି) କୋଚ୍ ରହିଛି। ଏଥିରେ ବିଭିନ୍ନ ପ୍ରକାରର ରୋଲିଂ ଷ୍ଟକ୍ ଯେପରିକି ହମସଫର, ତେଜସ୍, ଅନ୍ତ୍ୟୋଦୟ, ଦୀନଦୟାଲୂ, ଭାରତ ଗୌରବ, ବ୍ରେକ୍ ଭ୍ୟାନ୍, ପାର୍ସଲ୍ ଭ୍ୟାନ୍, ଟ୍ରାକ୍ ରେକର୍ଡିଂ କାର୍, ଇକୋନୋମି କୋଚ୍, ମୋଜାମ୍ବିକ୍ ପାଇଁ ଡେମୋ ଲୋକୋମୋଟିଭ୍ ଏବଂ ହୋଲ୍ଡ କୋଚ୍, ମେମୁ କୋଚ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ସମସ୍ତ କୋଚ ନିର୍ଦ୍ଧାରିତ ଗୁଣବତ୍ତା ମାନକୁ କଡାକଡି ଅନୁପାଳନ କରି ନିର୍ମିତ ହୋଇଛି, ଯାହା ଯାତ୍ରୀମାନଙ୍କ ପାଇଁ ନିରାପଦ, ବିଶ୍ୱସନୀୟ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିଥାଏ।
ଏହି ଐତିହାସିକ ସଫଳତା ପାଇଁ ଏମସିଏଫର ମହାପ୍ରବନ୍ଧକ ପି. କେ. ମିଶ୍ର କୋଚ୍ ପ୍ରସ୍ତୁତି ସହ ଜଡ଼ିତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସେମାନଙ୍କ ଆନ୍ତରିକ ପ୍ରୟାସ ଏବଂ ସମର୍ପଣ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସେମାନଙ୍କୁ ନୂତନ ମାନଦଣ୍ଡ ସ୍ଥାପନ କରିବା ଏବଂ ଭବିଷ୍ୟତରେ ଏମସିଏଫକୁ ଆହୁରି ଅଧିକ ଉଚ୍ଚତାକୁ ନେବା ପାଇଁ ଉତ୍ସାହିତ କରିଥିଲେ।


