କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁଚଗାଁ ଗ୍ରାମର ଧରିତ୍ରୀ ଖମାରି (୨୨) ଗର୍ଭବେଦନା ପାଇଁ ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗରେ ଚିକିତ୍ସିତ ହେଉଥିଲେ। ଗତକାଲି ଡାକ୍ତରଙ୍କ ପରାମର୍ଶ କ୍ରମେ ଧରିତ୍ରୀ ଏକ ୟୁନିଟ A+ ରକ୍ତ ଆବଶ୍ୟକ କରୁଥଲେ। କିନ୍ତୁ ସେହି ଗ୍ରୁପର ରକ୍ତ ରକ୍ତଭଣ୍ଡାରରେ ଉପଲବ୍ଧ ନଥିଲା। ତେଣୁ ଧରିତ୍ରୀଙ୍କ ସ୍ୱାମୀ ଗୋଟିଏ ୟୁନିଟ ରକ୍ତ ଯୋଗାଡ କରିବା ପାଇଁ ବ୍ୟସ୍ତ ହେଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରକ୍ତ ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେଇଥିଲେ।
ସୌଭାଗ୍ୟବଶତଃ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ହେଲ୍ପର ଜଗନ୍ନାଥ ନାଏକଙ୍କ ସମାନ ବ୍ଲଡ଼ ଗ୍ରୁପ ହୋଇଥିବାରୁ, ସେ ସଙ୍ଗେ ସଙ୍ଗେ ସେହି ଗର୍ଭବତୀଙ୍କ ପାଇଁ ଏକ ୟୁନିଟ ରକ୍ତଦାନ କରିଥିଲେ। ଉକ୍ତ ମାନବୀୟ କାର୍ଯ୍ୟ ପାଇଁ ଧରିତ୍ରୀଙ୍କ ସ୍ୱାମୀ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ସାଧୁବାଦ ଜଣାଇଥିଲେ।


