ନୂଆଦିଲ୍ଲୀ: ଚୀନକୁ ପଛରେ ପକାଇ ଭାରତ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହୋଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଚାଉଳ ଉତ୍ପାଦନ ୧୫ କୋଟି ଏକ ଲକ୍ଷ ୮୦ ହଜାର ଟନରେ ପହଞ୍ଚିଛି, ଯାହା ଚୀନରେ ୧୪ କୋଟି ୫୨ଲକ୍ଷ ୮୦ ହଜାର ଟନ୍ ଥିଲା। ଶ୍ରୀ ଚୌହାନ କହିଛନ୍ତି ଯେ, ଭାରତ ଏବେ ବିଦେଶୀ ବଜାରକୁ ମଧ୍ୟ ଚାଉଳ ଯୋଗାଣ କରୁଛି।
ଗତକାଲି ଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ବିକଶିତ ୨୫ ଫସଲର ୧୮୪ଟି ଉନ୍ନତ କିସମ ପ୍ରଦର୍ଶନ କରିଥିଲେ କୃଷି ମନ୍ତ୍ରୀ। ଶ୍ରୀ ଚୌହାନ କହିଥିଲେ ଯେ, ଦେଶ ଉଚ୍ଚ ଅମଳକ୍ଷମ ଫସଲ ବିକଶିତ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ନୂତନ କିସମଗୁଡ଼ିକ ଯଥାଶୀଘ୍ର ଚାଷୀଙ୍କ ପାଖରେ ପହଞ୍ଚୁ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ମନ୍ତ୍ରୀ କହିଛନ୍ତି ଯେ, ଏହା ଚାଷୀମାନଙ୍କୁ ଅଧିକ ଅମଳ ଏବଂ ଉନ୍ନତ ଗୁଣବତ୍ତା ଫସଲ ହାସଲ କରିବାରେ ସାହାଯ୍ୟ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଚାଷୀଙ୍କ ପାଇଁ ଉଚ୍ଚମାନର ବିହନ ଉପଲବ୍ଧ କରାଯିବା ଆବଶ୍ୟକ। ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଡାଲି ଏବଂ ତୈଳବୀଜର ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ସେ କୃଷି ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଥିଲେ।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ, ଉଚ୍ଚ ଅମଳକ୍ଷମ ଏବଂ ଜଳବାୟୁ-ପ୍ରତିରୋଧୀ ବିହନ ସହାୟତାରେ ଦେଶ କୃଷି ବିପ୍ଳବର ଏକ ପର୍ଯ୍ୟାୟରେ ପ୍ରବେଶ କରିଛି। ସେ କହିଛନ୍ତି ଯେ, ଭାରତୀୟ କୃଷି ଗବେଷଣା ପରିଷଦର ସମନ୍ୱିତ ପ୍ରକଳ୍ପ, ରାଜ୍ୟ ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ଘରୋଇ ବିହନ କମ୍ପାନୀଗୁଡ଼ିକର ସହଯୋଗ ପ୍ରୟାସ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି।


