ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଏହାର ପ୍ରତିଷ୍ଠିତ ସ୍ନାତକ (ଅଣ୍ଡର ଗ୍ରାଜୁଏଟ) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରବୃତ୍ତିର ଫଳାଫଳ ଘୋଷଣା କରାଯାଇଛି । ଓଡ଼ିଶାର ୧୨୭ ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଚଳିତ ବର୍ଷର ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇଁ ମନୋନୀତ ହୋଇଛନ୍ତି। ଏହି ବର୍ଷ, ସାରା ଦେଶରୁ ୫,୦୦୦ ସ୍ନାତକ ଏବଂ ୧୦୦ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।
ଚୟନ ହୋଇଥିବା ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପିଜି ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ôଥକ ସହାୟତା ମିଳିବ। ଏହି ପଦକ୍ଷେପ ୨୦୨୨ରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଆମ୍ବନୀଙ୍କ ଦ୍ୱାରା କରାଯାଇଥିବା ଘୋଷଣାର ଏକ ଅଂଶ, ଯାହା ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ।
୨୦୨୫-୨୬ ବ୍ୟାଚ୍ ପାଇଁ ଚୟନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ରହିଥିଲା। ସାରା ଦେଶରୁ ୧ ଲକ୍ଷ ୨୫ ହଜାରରୁ ଅଧିକ ଆବେଦନପତ୍ର ମଧ୍ୟରୁ ମନୋନୀତ ୫,୧୦୦ ଜଣ ଛାତ୍ରଛାତ୍ରୀ ୨୮ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ଏବଂ ୧୫,୫୪୪ ଶିକ୍ଷାନୁଷ୍ଠାନର ପ୍ରତିନିଧିତ୍ୱ କରୁଛନ୍ତି, ଯାହା ଏହି କାର୍ଯ୍ୟକ୍ରମର ସର୍ବଭାରତୀୟ ଉପସ୍ଥିତିକୁ ପ୍ରତିଫଳିତ କରୁଛି।
ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୩ ପ୍ରତିଶତ ଏଭଳି ପରିବାରରୁ ଆସିଛନ୍ତି ଯାହାଙ୍କ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି। ଶିକ୍ଷାଗତ ପ୍ରଦର୍ଶନକୁ ଦେଖିବାକୁ ଗଲେ ୯୭ ପ୍ରତିଶତ ସ୍ନାତକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଛନ୍ତି। ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪୮ ପ୍ରତିଶତ ଝିଅ ଏବଂ ୫୨ ପ୍ରତିଶତ ପୁଅ ରହିଛନ୍ତି। ଏହି ବର୍ଷ, ୧୪୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚୟନ କରାଯାଇଛି। ୧୦୦ ଜଣ ମନୋନୀତ ପିଜି ଛାତ୍ରଛାତ୍ରୀ କୃତ୍ରିମ ବୁଦ୍ଧିମତ୍ତା, କମ୍ପ୍ୟୁଟର ବିଜ୍ଞାନ, ନବୀକରଣୀୟ ଶକ୍ତି ଏବଂ ଲାଇଫ ସାଇନ୍ସ ଭଳି ଭବିଷ୍ୟତ-ମୁଖୀ କ୍ଷେତ୍ରଗୁଡ଼ିକରେ ଅଧ୍ୟୟନ କରୁଛନ୍ତି।


