ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ରାଜକୋଟ ଗସ୍ତ କରିବା ସହ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଭାଗ ନେବେ। ଦ୍ୱିପ୍ରହର ପ୍ରାୟ ୧ଟା ୩୦ରେ ସେ ସମ୍ମିଳନୀରେ ବାଣିଜ୍ୟ ପ୍ରଦର୍ଶନୀ ଉଦଘାଟନ କରିବେ। ପ୍ରାୟ ୨ ଟା ସମୟରେ, ପ୍ରଧାନମନ୍ତ୍ରୀ ରାଜକୋଟର ମାରୱାଡି ବିଶ୍ୱବିଦ୍ୟାଳୟରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦଘାଟନ କରି, ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ୧୪ଟି ଗ୍ରୀନଫିଲ୍ଡ ସ୍ମାର୍ଟ ଗୁଜରାଟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଜିଆଇଡିସି) ଇଷ୍ଟେଟର ବିକାଶ ସମ୍ପର୍କରେ ଘୋଷଣା କରି, ରାଜକୋଟରେ ଜିଆଇଡିସିର ମେଡିକାଲ ଡିଭାଇସ ପାର୍କର ଉଦଘାଟନ କରିବେ।
ଭାଇବ୍ରାଣ୍ଟ ଗୁଜରାଟର ସଫଳ ମଡେଲର ପହଞ୍ଚ ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବା ପାଇଁ, ସାରା ରାଜ୍ୟରେ ଚାରୋଟି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଉତ୍ତର ଗୁଜରାଟ ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦୨୫ ଅକ୍ଟୋବର ୯ରୁ ୧୦ ତାରିଖରେ ମେହସଣାରେ ଆୟୋଜିତ ହୋଇଥିଲା। ବର୍ତ୍ତମାନର ସଂସ୍କରଣ କଛ ଓ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଅନୁଷ୍ଠିତ ହେଉଛି। ଏହାପରେ ଦକ୍ଷିଣ ଗୁଜରାଟ (୨୦୨୬ ଏପ୍ରିଲ ୯-୧୦) ଏବଂ ମଧ୍ୟ ଗୁଜରାଟ (୨୦୨୬ ଜୁନ୍ ୧୦-୧୧) ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀ ଯଥାକ୍ରମେ; ସୁରତ ଏବଂ ଭଦୋଦରାରେ ଆୟୋଜନ କରାଯିବ।
ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ @୨୦୪୭ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ସଫଳତା ଓ ଐତିହ୍ୟ ଉପରେ ନିର୍ମାଣ କରି, ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କ୍ଷେତ୍ର-ନିର୍ଦ୍ଦିଷ୍ଟ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା, ବିଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ଏବଂ ବିଶ୍ୱସ୍ତରୀୟ ସମ୍ପର୍କକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ କ୍ଷେତ୍ରଗୁଡ଼ିକର ନିକଟତର କରି, ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ବିକେନ୍ଦ୍ରୀକୃତ ବିକାଶ, ବ୍ୟବସାୟ କରିବାର ସହଜତା, ନବସୃଜନ-ଚାଳିତ ଅଭିବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରେ।
ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କେବଳ ଆଞ୍ଚଳିକ ସଫଳତା ପ୍ରଦର୍ଶନ ଏବଂ ନୂତନ ପଦକ୍ଷେପ ଘୋଷଣା କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଆଞ୍ଚଳିକ ଅର୍ଥନୀତିକୁ ସଶକ୍ତ, ନବସୃଜନକୁ ପ୍ରୋତ୍ସାହିତ ଏବଂ ରାଜ୍ୟର ପ୍ରତ୍ୟେକ ଭାଗରେ ରଣନୈତିକ ନିବେଶକୁ ସହଜ କରି ଗୁଜରାଟର ଅଭିବୃଦ୍ଧି କାହାଣୀକୁ ସହ-ସୃଷ୍ଟି କରିବା ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରିବ। ଜାନୁଆରୀ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣରେ ଆଞ୍ଚଳିକ ସମ୍ମିଳନୀର ସଫଳତା ପ୍ରଦର୍ଶିତ ହେବ।


