କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି। ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ।
ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ।
ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି। ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ କରି ବେଢା ପରିକ୍ରମା ଦେବନୀତି ସଂପାଦନ କରାଇଥିଲେ।
ଏହାପରେ ମା ମହାଲକ୍ଷ୍ମୀଙ୍କ ବାପଘରୁ ଆଶିଥିବା ଅମଣିହା ହାଣ୍ଡିରେ ସାତପୁରୀ,କରଞ୍ଜ,ବୁନ୍ଦି, ମିଠେଇ, ଲଡୁ, ବୁନ୍ଦି ଖିରି,ଅନ୍ନ,ଡାଲି,ବେସର,ମହୁର,ଶାଗଭଜା ପରି ୮୪ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ନୈବେଦ୍ୟ ମଣୋହି କରାଯାଇଥିଲା। ମକରବେଢା ପରିକ୍ରମାରେ ଅଂଶଗ୍ରହଣ କଲେ ସାତପୁରୁଷ ଉଦ୍ଧାର ହୁଅନ୍ତି ତଥା ଇହଲୋକ ପରଲୋକରେ ସ୍ୱର୍ଗପ୍ରାପ୍ତି ସନ୍ତୋଷଲାଭ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଥିବା ଧାର୍ମିକ ଆଧ୍ୟାତ୍ମିକ ବିଶ୍ୱାସ ରହିଛି।
ମନ୍ଦିର ପରିସରରେ ମକରବେଢା ପରିକ୍ରମା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ମନ୍ଦିର ମଧ୍ୟରେ ଦେବନୀତି ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ମନ୍ଦିର ଭିତରେ ପୋଲିସ,ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା।


